ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼l ବ୍ଲକ ଅନ୍ତର୍ଗତ ଝୁରୀମାଲ ଗ୍ରାମରେ ସାମୁହିକ ନୂଆଁଖାଇ ପରବ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି l ସାମୁହିକ ଭାବେ ଗାଁ ଦାଣ୍ଡରେ ରନ୍ଧା ହେଉଥିଲା ଗାଁର ପ୍ରତ୍ୟେକ ପରିବାରର ନୂଆଁଖାଇ ବ୍ୟଞ୍ଜନ । ଭାତ, ଡାଲି, ଖିରୀ ପିଠାର ବାସ୍ନା ସଙ୍ଗେ ସଙ୍ଗେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗୋଟିଏ ଧାଡିରେ ବସି ନୂଆଁ ଚାଉଳ ସଙ୍ଗେ ବିଭିନ୍ନ ସୁସ୍ଵାଦୁ ଖାଦ୍ୟର ମଜା ନେଇଥିଲେ ଗାଁର ଅlବାଳବୃଦ୍ଧ ବନିତା । ହୁଳହୁଳି, ହରିବୋଲ ସଙ୍ଗେ ସଙ୍ଗେ ପାରମ୍ପରିକ ସଙ୍କୀର୍ତ୍ତନର ତାଳେ ତାଳେ କାନ୍ଧକୁ କାନ୍ଧ ମିଶାଇ ନାଚୁଥିଲେ ଗ୍ରାମବାସୀ । ଏହିପରି ଏକ ଅଭିନବ ତଥା ନିଆରା ନୂଆଁଖାଇ ପାଳନ କରି ଏକତା ଓ ସହଭାଗିତାର ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛି ଝୁରିମାଲ ଗାଁ । ମାଟି ଓ ମଣିଷର ନିବିଡ ସମ୍ପର୍କର ମହାନ ଗଣପର୍ବ ହେଉଛି ନୂଆଁଖାଇ । ଖରା, ବର୍ଷା, ଶୀତ, କାକରରେ ହାଡଭଙ୍ଗା ପରିଶ୍ରମ କରି ମାଟି ମାଁରୁ ଉତ୍ପାଦିତ ପ୍ରଥମ ଶସ୍ୟକୁ ସମ୍ମାନ ଦେବାର ପର୍ବ ହେଉଛି ନୁଆଖାଇ l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଭିନବ ଢଙ୍ଗରେ ବେଶ ହର୍ଷ ଉଲ୍ଲାସରେ ଏହି ଗଣପର୍ବକୁ “ସାମୁହିକ ନୂଆଁଖାଇ” ଭାବରେ ପାଳନ କରି ଏକତା, ସହଭାଗିତା ଓ ଭାଇଚାରାର ବାର୍ତ୍ତା ଦେଇଛି ଝୁରିମାଲ ଗାଁ ।
ଦୀର୍ଘ ୧୨ ବର୍ଷ ଧରି “ସାମୁହିକ ନୂଆଁଖାଇ ପାଳନ” ଭାରି ଧୂମ ଧାମରେ ପାଳନ କରୁଛନ୍ତି ଝୁରିମାଲ ଗ୍ରାମବାସୀ । ପ୍ରଥମେ ୫ଟି ପରିବାର ମିଶି ଆରମ୍ଭ କରିଥିବା “ସାମୁହିକ ନୂଆଁଖାଇ” ଆଜି ଗ୍ରାମର ସମୁଦାୟ ୧୬୩ ଟି ପରିବାରକୁ ଏକତାର ଡୋରିରେ ବାନ୍ଧି ରଖିଛି । ନୂଆଁଖାଇ ଭଳି ପର୍ବରେ ପ୍ରତ୍ୟେକ ଘରେ ଘରେ ବିଭିନ୍ନ ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିବା ବେଳେ ଗୋଟିଏ ଗାଁ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ “ସାମୁହିକ ରନ୍ଧା” କରିବାର ଦୃଷ୍ଟାନ୍ତ ସବୁଠୁ ନିଆରା । ଗୋଷ୍ଠୀ ସଚେତନତା ସଙ୍ଗେ ସଙ୍ଗେ ସାମୁହିକ ସହଭାଗିତା ଓ ଏକତାର ଏକ ଅବିଶ୍ଵସନୀୟ ଉଦାହରଣ ହେଉଛି “ଝୁରିମାଲର ସାମୁହିକ ନୂଆଁଖାଇ”। ଚଳିତ ବର୍ଷ ସର୍ବପ୍ରଥମେ ଗ୍ରାମର ଆରାଧ୍ୟ ଦେବତା ସଂକଟମୋଚନ ବଜରଙ୍ଗବଲିଙ୍କ ପାଖରେ ନୂଆଁ ଚାଉଳ ଲାଗି ପୂଜା ଅର୍ଚନା କରିବା ପରେ ଗ୍ରାମର ପ୍ରତ୍ୟେକ ପରିବାର ନିଜ ନିଜ ଇଷ୍ଟଦେବା/ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଗ୍ରାମର ପ୍ରତ୍ୟେକ ପରିବାରରୁ ଅlବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ଗାଁ ଦାଣ୍ଡରେ ନବାନ୍ନ ଭକ୍ଷଣ ସହିତ ନୂଆଁଖାଇ ଖାଦ୍ୟ ଏକା ସାଙ୍ଗରେ ବସି ଖାଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା “ନୂଆଁଖାଇ ଭେଟଘାଟ”ର ଅନନ୍ୟ ପରମ୍ପରା । ପୂର୍ବ କଳି କଜିଆ, ରାଗ ଦ୍ଵେଷ ଭୁଲି ଗ୍ରାମର ପ୍ରତ୍ୟେକ ଲୋକ ବଡମାନଙ୍କୁ ନମସ୍କାର ଓ ଛୋଟଙ୍କୁ ଆଶୀର୍ବାଦ କରି ନୂଆଁଖାଇ ଭେଟଘାଟର ପରମ୍ପରାକୁ ଆହୁରି ଜୀବନ୍ତ କରିଥିଲେ ।
ଏହି ଅବସରରେ ଝୁରିମାଲ ନୂଆଁଖାଇ କମିଟି ତରଫରୁ “ନୂଆଁଖାଇ ସମାରୋହ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ “ଦୁଲଦୁଳି”ର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସୁନ୍ଦରଗଡ ସଦର ବିଧାୟକ ଯୋଗେଶ କୁମାର ସିଂ ଝୁରିମାଲ ଗ୍ରାମବାସୀଙ୍କ ଏନିଆରା ନୂଆଁଖାଇ ସାରା ରାଜ୍ୟ ତଥା ଜାତୀୟ ସ୍ତରରେ ଏକ ବିରଳ ରେକର୍ଡ କରିଛି ବୋଲି ବର୍ଣ୍ଣନା କରିବା ସହ ଏକତା ଓ ଭାଇଚାରାକୁ ବଜାୟ ରଖିବାର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ନାବାର୍ଡ ଡିଡିଏମ ତାପସ କୁମାର ବେହେରା, ଶଲ୍ୟରୋଗ ବିଶେଷଜ୍ଞ ଡ. ମନିଷ ଶର୍ମା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଲକ୍ଷ୍ମୀପ୍ରିୟା ପ୍ରଧାନ, ଓଲିଉଡ ତାରକା ପ୍ରଦୀପ ଦତ୍ତ ପ୍ରମୁଖ ଯୋଗଦାନ କରି ଝୁରିମାଲ ନୂଆଁଖାଇର ଭୂଯସୀ ପ୍ରଶଂସା କରିବା ସଙ୍ଗେ ଅଙ୍ଗେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଓଲିଉଡ ତାରକା ପ୍ରଦୀପ ଦତ୍ତ, ସୁନ୍ଦରଗଡ କଳାକାର ମଞ୍ଚର ସମ୍ପାଦକ ରୋସନ ସାହୁ, ଉଦୀୟମାନ ଗାୟକ ଅନନ୍ତ ପ୍ରସାଦ ନାଏକ, ଉଦଘୋଷକ ବେଦବ୍ୟାସ ଧୁରୁଆ, ହାସ୍ୟ କଳାକାର ମୋହିତ ମେହେର, ଗଣେଶ ଖଡିଆ ଓ ବିପିନ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ନୂଆଁଖାଇ ଉପଲକ୍ଷେ ଓଡିଶା ମିଲେଟ ମିଶନ ତରଫରୁ ଏକ ପୁଷ୍ଟିଶସ୍ୟ ଖାଦ୍ୟ ମେଳାର ଆୟୋଜନ କାରାଯାଇଥିଲା । ଏଥିରେ ସମସ୍ତ ଗ୍ରାମାବାସୀ ତଥା ଅତିଥି ମାନେ ମାଣ୍ଡିଆ, ସୁଆଁ, କଦୋ ଭଳି ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପାରମ୍ପାରିକ ଖାଦ୍ୟ ଭିତରେ ଆରିଷା, ନିମକି, ଲଡୁ, ବିସ୍କୁଟ, ଗଜା, ମାଣ୍ଡିଆ ସର୍ବତର ସ୍ଵାଦ ଉପଭୋଗ କରିଥିଲେ । ଦିଆମୁଣ୍ଡା ସଙ୍କିର୍ତ୍ତନ୍ୟ ମଣ୍ଡାଳୀ ଓ ଝୁରିମାଲ ସଂପ୍ରଦା ଗୋଷ୍ଠୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ବେସ ମନଛୁଆଁ ହୋଇଥିଲ । ବାସ୍ତବରେ ଝୁରିମାଲ ଗ୍ରାମବାସୀଙ୍କ ଏହି ଐତିହାସିକ ପଦକ୍ଷେପ ଅନ୍ୟ ଗାଁ ମାନଙ୍କ ପାଇଁ ଏକତା ଓ ଭାଇଚାରାର ଏକ ଜ୍ଵଳନ୍ତ ଉଦାହରଣ ହୋଇ ପାରିବ ।