ଭଞ୍ଜନଗର(ନିଲୁ ବିଷୋୟୀ): ଛାତ୍ରର ଉଜ୍ବଳ ଭବିଷ୍ୟତ ଜଣେ ଗୁରୁ ଉପରେ ନିର୍ଭର କରିଥାଏ । ଜଣେ ଗୁରୁ ନିକଟରେ ଅଦେୟ ବୋଲି କିଛି ନଥାଏ । ଜ୍ଞାନର ଶେଷ କଣିକା ପର୍ଯ୍ୟନ୍ତ ସେ ତାର ଶିଷ୍ୟକୁ ଦେବା ପାଇଁ ନିରନ୍ତର ଚେଷ୍ଟିତ ବୋଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ନ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ କହିଥିଲେ । ଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ । କଲେଜ ନିର୍ବାଚନ ବନ୍ଦ କରିବା ଯୋଗୁ ଭବିଷ୍ୟତର ଛାତ୍ର ନେତା ସୃଷ୍ଟିରେ ବାଧକ ସାଜିଥିଲା । ଆଗାମୀ ଦିନରେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଥିଲେ । ଟାଉନ ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବରିଷ୍ଠ ଶିକ୍ଷକ ସରୋଜକାନ୍ତ ଶତପଥୀ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ତ୍ରିନାଥ ପଟ୍ଟନାୟକ, ଆଇନଜୀବୀ ରଜତ କୁମାର ଦାସ,ଏନ୍ପିଏସ ସଂଘର ସଭାପତି ଜଗଦୀଶ ନାୟକ, ଏକ୍ସ କ୍ୟାଡର ସଭାପତି ସୀମାଞ୍ଚଳ ପାତ୍ର ମଞ୍ଚାସୀନ ଥିଲେ । ଏହି ଅବସରରେ ଗୁରୁ ଶିବରାମ ନାୟକ ଏବଂ ଶରତ ଚନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।