ରାମଗିରି ମଣ୍ଡଳୀରେ ବାପ୍ତିସ୍ମ ସମାରୋହ ଆୟୋଜିତ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାମଗିରି ଗ୍ରାମସ୍ଥିତ ଖ୍ରୀଷ୍ଟିୟାନ ମଣ୍ଡଳୀରେ ବାପ୍ତିସ୍ମ (ଜଳରେ ଡୁବନ) ମହୋତ୍ସବ ଆୟୋଜିତ ହୋଇଯାଇଛି । ୧୯୪୩ ମସିହାରେ ସ୍ଥାପିତ ଏହି ଖ୍ରୀଷ୍ଟିୟାନ ବସତି ସମୟାନୁକ୍ରମେ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ଅନ୍ତର୍ଗତ ବଡପଦା ଏବଂ ଝାଲରସିଂ ମଣ୍ଡଳୀ ଅଧୀନରେ ଏକ ଶାଖା ମଣ୍ଡଳୀ ଭାବେ ଖ୍ରୀଷ୍ଟିୟାନ ରୀତି ନୀତି ଆଧାରରେ ବସବାସ କରିବା ସମୟରେ ଅନେକବାର ବାପ୍ତିସ୍ମ ସମାରୋହ ଆୟୋଜିତ ହୋଇଥିଲା । ଯାହାଦ୍ବାରା ସ୍ଥାନୀୟ ଅଞ୍ଚଳରୁ ବହୁ ଖ୍ରୀଷ୍ଟ ବିଶ୍ବାସୀ ବାପ୍ତିଜିତ ହୋଇ ଇଶ୍ବରଙ୍କ ସେବାରେ ନିଜକୁ ନିୟୋଜିତ କରିଆସୁଛନ୍ତି । ତେବେ ସମ୍ମିଳନୀର ସ୍ବୀକୃତି ପରେ ଗତ ୨୦୨୩ ଫେବୃଆରୀ ୧ ତାରିଖରେ ରାମଗିରି ଖ୍ରୀଷ୍ଟିୟାନ ସମାଜକୁ ସଂପୂର୍ଣ୍ଣ ମଣ୍ଡଳୀ ଭାବେ ଘୋଷଣା କରାଯିବ ସହ ଆଚାର୍ଯ୍ୟ ଶ୍ରୀ ଆଖିସ୍ ପାଉଲଙ୍କୁ ମଣ୍ଡଳୀର ପାଳକ ଭାବେ ଅଭିଷେକ କରାଯାଇଥିଲା । ମଣ୍ଡଳୀ ଘୋଷଣା ପରେ ପ୍ରଥମ ଥର ପାଇଁ ବାପ୍ତିସ୍ମ ମହୋତ୍ସବ ଆୟୋଜିତ ହୋଇଥିବାରୁ ସମସ୍ତେ ଆଡମ୍ବରସହ ଏଥିରେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମରେ ପୁରୁଷ ଏବଂ ମହିଳା ସମୁଦାୟ ୩୨ଜଣ ବାପ୍ତିଜିତ ହୋଇଥିଲେ । ପ୍ରାର୍ଥନା ସହ ଆରମ୍ଭ ହୋଇ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା ସହ ବାପ୍ତିସ୍ମପରେ ସ୍ଥାନୀୟ ଖ୍ରୀଷ୍ଟିୟ ଭଜନାଳୟରେ ସମବେତ ହୋଇ ସମସ୍ତେ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ନିଦର୍ଶନ ସ୍ବରୁପ ପ୍ରଭୁଭୋଜ ଗ୍ରହଣ କରିବା ପରେ ପ୍ରାର୍ଥନା ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲେ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ମଣ୍ଡଳୀର ପାଳକ ଆଚାର୍ଯ୍ୟ ଶ୍ରୀ ଆଖିସ୍ ପାଉଲ୍, ଡିକନ୍ ଶ୍ରୀ ଯିଖରୀୟ ଲିମ୍ମା, ଡିକନ୍ ଶ୍ରୀ ଅମୁଲ୍ୟ ମାଳୀ, ମଣ୍ଡଳୀ ସମ୍ମିଳନୀର ବାପ୍ତିସ୍ମ ଦାୟିତ୍ବରେ ଥିବା ପାଳକ ଆଚାର୍ଯ୍ୟ ଶ୍ରୀ ପି.କେ ମାଳୀ ଏବଂ ପୂର୍ବତନ ଡିକନ୍ ଶ୍ରୀ କନ୍ତାରୁ ପ୍ରଧାନ ପ୍ରମୁଖ ବାପ୍ତିସ୍ମ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ସମ୍ପାଦକ ଶ୍ରୀ ରାଜପତି ମିଶାଲ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ତେବେ ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳୀର ସମସ୍ତ ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟା ରେ ଖ୍ରୀଷ୍ଟ ବିଶ୍ବାସୀମାନେ ଯୋଗଦେଇ ନାଚଗୀତ ସହ ନବ ବାପ୍ତିଜିତ ଯୁବକଯୁବତୀଙ୍କୁ ଉତ୍ସାହିତ କରିଥିଲେ ।