ଚିଲିକା( ସଂଗ୍ରାମ ରଣା): ଚିଲିକା ବ୍ଲକ ଅନ୍ତର୍ଗତ ଅଠରବାଟିଆ ପଞ୍ଚାୟତଠାରେ ନିର୍ମିତ ଲକ୍ଷ୍ମୀ ବସ୍ ଷ୍ଟପ ଅବ୍ୟବସ୍ଥା ଘେରରେ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ବସ୍ଷ୍ଟପରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି । ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତି ପଞ୍ଚାୟତରୁ ବ୍ଳକ ଓ ବ୍ଳକରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ କମ୍ ଖର୍ଚ୍ଚରେ ଯିବା ଆସିବା ପାଇଁ ଜନସାଧାରଣଙ୍କ ନିମିତ୍ତ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିଲା । ଏପରିକି ପ୍ରତି ପଞ୍ଚାୟତ ଏବଂ ମୁଖ୍ୟ ଛକରେ ବସ୍ ରହଣି ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଲକ୍ଷ୍ମୀ ବସଷ୍ଟପମାନ ନିର୍ମାଣ କରାଯାଇଥିଲା । ଫଳରେ ଯାତ୍ରୀମାନେ ବସ୍ ନ ଆସିବା ପର୍ଯ୍ୟନ୍ତ ଏହି ଲକ୍ଷ୍ମୀ ବସ୍ ଷ୍ଟପରେ ଅପେକ୍ଷା କରିପାରିବେ । ମାତ୍ର ଚିଲିକା ବ୍ଳକ ଅଠରବାଟିଆ ପଞ୍ଚାୟତ ଲକ୍ଷ୍ମୀ ବସ ଷ୍ଟପ ଠାରେ ଏହାର ସମ୍ପୂର୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି । ୫ ନଂ. ଜାତୀୟ ରାଜପଥକୁ ଲାଗି ଏହି ବସ ଷ୍ଟପ୍ ନିର୍ମାଣ ହୋଇଥ୍ ବାରୁ ଲକ୍ଷ୍ମୀ ବସ୍ ସେଠାରେ ନ ରହି ଫାଙ୍କା ଜାଗା ଦେଖ୍ ରହୁଥିବା ଦେଖିବାକୁ ମିଳିଛି । ଫଳରେ ଏହି ବସ୍ ଷ୍ଟପ ସମ୍ପୂର୍ଣ ଅଦରକାରୀ ପାଲଟିଛି । ବସ ଷ୍ଟପଟି ଯାତ୍ରୀମାନଙ୍କ ବ୍ୟବହାର ଉପଯୋଗୀ ହେଉ ନ ଥିବାରୁ ଚାରିଆଡେ ଲଟାବୁଦା ସାଙ୍ଗକୁ ଦିନବେଳେ ଗାଈଗାରୁଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି । ସେହିପରି ସନ୍ଧ୍ୟା ହେଲେ ଉକ୍ତ ସ୍ଥାନରେ ମଦ୍ୟପଙ୍କ ଆଡ୍ଡା ଜମୁଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ବଷ୍ଟପ ପଞ୍ଚାୟତବାସୀଙ୍କ କୌଣସି କାର୍ଯ୍ୟରେ ଆସିପାରୁ ନ ଥିବା ଅଭିଯୋଗ ହୋଇଛି । ଏ ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।