ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ସେଥି ପାଇଁ ଗାଁଠୁ ସହର ଯାଏଁ ଏହି ଯୋଜନାରେ ସାମିଲ ହେବା ପାଇଁ ବର୍ତ୍ତମାନ ଜନସେବା କେନ୍ଦ୍ର , ବ୍ୟାଙ୍କ ଓ ବିଭିନ୍ନ ଅନଲାଇନ୍ ସେବା କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଛି । ମହିଳା ହିତାଅଧିକାରୀଙ୍କ ଆଧାର ସହ ନିଜ ଫୋନ ନମ୍ବର ସଂଯୋଗ କରିବା ପାଇଁ ଲମ୍ବା ଧାଡ଼ି ଲାଗୁଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୌଣସି ଆଧାର କେନ୍ଦ୍ର ବ୍ୟବସ୍ଥା ନଥିବାରୁ ମହିଳାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ଫାଇଦା ନେଇ କିଛି ସେବା କେନ୍ଦ୍ରର ଅସାଧୁ ପରିଚାଳକମାନେ ଲୁଟିବାରେ ଲାଗିଛନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ପଞ୍ଚାୟତର ଗଡ଼ମା ଗ୍ରାମରୁ ଏପରି ଏକ ଅଭିଯୋଗ ଆସିଛି l ସୂଚନା ଅନୁଯାୟୀ ସେହି ଗ୍ରାମର ସଂଯୁକ୍ତା କନ୍ଧ ଏବଂ ତାଜୁଙ୍ଗାଲୁ ମାଝୀଙ୍କ ଆଧାର ସହ ଫୋନ ନମ୍ବର ଲିଙ୍କ କରିବା ପାଇଁ ବ୍ରାହ୍ମଣୀଗାଁ ଆସିଥିଲେ l ତାଙ୍କ ଠାରୁ ୨୫୦ ଟଙ୍କା ଆଦାୟ କରାଯାଇ ଥିବା ନେଇ ମହିଳାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାର ମାଗଣାରେ ଆବେଦନ କରିବାକୁ ଘୋଷଣା କରିଥିବା ବେଳେ ସରକାରଙ୍କ ନିର୍ଦ୍ଧେଶକୁ ଏଠି ଖୋଲମ୍ ଖୋଲା ଉଲ୍ଲଂଘନ କରାଯାଉଛି l ଏମିତି ଯଦି ଗରିବ ଶ୍ରେଣୀର ଲୋକଙ୍କ ଠାରୁ ସେବା କେନ୍ଦ୍ର ପରିଚାଳକ ଶୋଷଣ କରିବେ ତାହେଲେ ଲୋକେ କାହାକୁ ଭରସା କରିବେ । ଏ ନେଇ ବୁଦ୍ଧିଯିବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସ୍ଵତନ୍ତ୍ର ଧ୍ୟାନ ଦେବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।