ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସ୍ଥାନୀୟ ସଦଭାବନା ଭବନ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଆଦିର ଶୁଣାଣି କରିଥିଲେ । ଆଜି ମୋଟ ୨୦୯ ଗୋଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୧୭୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୩୯ ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ୮୦ ଗୋଟି ଅଭିଯୋଗର ତତ୍ କ୍ଷଣାତ ସମାଧାନ କରାଯାଇଥିଲା । ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୪୦ ଗୋଟି ଆବେଦନ ରହିଥିଲା ବେଳେ ରେଡକ୍ରସରୁ ଆର୍ଥିକ ସହାୟତା ନିମନ୍ତେ ୪ ଗୋଟି ଆବେଦନ ରହିଥିଲା । ବାକି ସବୁ ଅଭିଯୋଗ ଗୁଡ଼ିକର ମଧ୍ୟ ତ୍ୱରିତ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ମହାଜନ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣିରେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଃଖବନ୍ଧୁ ନାୟକ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ପି.ଏ. ଆଇ.ଟି.ଡି.ଏ ଶ୍ରୀ ଧୀରେନ୍ଦ୍ର ସେଠୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।