ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ରାଜ୍ୟରେ ମହିଳା ସଶକ୍ତିକରଣକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା ଯୋଜନା’ ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରାଉରକେଲା ସହରରେ ଯେପରି କେହି ବି ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଏହି ଯୋଜନାର ନିୟମାବଳୀ ଉପରେ ଅବଗତ କରିବା ସହ ଏହାକୁ ସଠିକ୍ ଭାବେ କାର୍ଯ୍ଯକାରୀ କରିବା ନିମନ୍ତେ ସ୍ଥାନୀୟ ମଧୁସୂଦନ ଭବନରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା । ଏହି ଯୋଜନାକୁ ସଫଳ କରିବା ପାଇଁ ଯୋଜନା ସହ ଜଡ଼ିତ ଅଙ୍ଗନବାଡ଼ି କର୍ମୀ, ଜନ ସେବା କେନ୍ଦ୍ର ତଥା ମୋ ସେବା କେନ୍ଦ୍ରର ପରିଚାଳକ ଏବଂ ନୋଡ଼ାଲ ଅଫିସରମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ରାଉରକେଲା ସହରାଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀ ଯେପରି ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଲାଭାର୍ଥି ହୋଇପାରିବେ, ସେଥିପାଇଁ ସମସ୍ତ କର୍ମଚାରୀ ଓ ଅଧିକାରୀ ସଚେତନ ରହିବାକୁ ଉପସ୍ଥିତ ଅତିଥିମାନେ ସଚେତନ କରାଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫlତିମା ଏକ୍କାଙ୍କ ସହ ରାଉରକେଲା ସହରାଞ୍ଚଳ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପର ସିଡିପିଓ ଶ୍ରୀମତୀ ଦର୍ଶନୀ ଏକ୍କା, ରାଉରକେଲା ଶିଳ୍ପାଞ୍ଚଳ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପର ସିଡିପିଓ ଶ୍ରୀମତୀ ସୁକେଶିନୀ କେର୍କେଟା ପ୍ରମୁଖ ଉପସ୍ଥିତ ଥିଲେ ।