ଆସନ୍ତା ନଭେମ୍ବର ୨୨ରୁ ଭଞ୍ଜନଗରରେ ବିଶ୍ୱଶାନ୍ତି ମହାଯଜ୍ଞ…

ଭଞ୍ଜନଗର(ନିଲୁ ବିଷୋୟୀ): ସଂସାରର ମଙ୍ଗଳ ଏବଂ ଜଳବାୟୁ ସନ୍ତୁଳନ ରକ୍ଷା କରିବା ଉଦେଶ୍ୟରେ ଆସନ୍ତା ନଭେମ୍ବର ୨୨ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗରରେ ସପ୍ତାହେ ବ୍ୟାପି ଏକ ବିଶାଳ ବିଶ୍ୱଶାନ୍ତି ମହାଯଜ୍ଞ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଠାରେ ମହା ଆଡମ୍ବରରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ କମିଟି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ଭାବେ ଉପଜିଲ୍ଲାପାଳ ଅନିଲ ସେଠୀ, ତହସିଲଦାର ଉମାଶଙ୍କର ବେହେରା, ବିଡ଼ିଓ ମନ୍ମଥ କୁମାର ନାୟକ, ଏନଏସି ଇଓ ମୁରଲୀକୃଷ୍ଣ ପଣ୍ଡା, ପୁରୀରୁ ଆସିଥିବା ଅଭିରାମ ମହାରାଜ, ଦିଲ୍ଲୀ ମହନ୍ତରୁ ଗୋବିନ୍ଦ ଦାସ ମହାରାଜ, ଆଠଗଡ଼ରୁ ସୁଦର୍ଶନ ଦାସ ମହାରାଜ ଯୋଗଦେଇଥିଲେ । ଭଞ୍ଜନଗରର ସମସ୍ତ ସ୍ବେଛାସେବୀ ଅନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନର ସଦସ୍ୟ ଏବଂ ବହୁ ବୃଦ୍ଧିଜୀବୀ ବୈଠକରେ ଅଂଶଗ୍ରହଣ କରିଥିଲେ । ନିଷ୍ପତ୍ତି ପ୍ରକାରେ ଅକ୍ଟୋବର ୨୩ ତାରିଖରେ ଶୁଭସ୍ତମ୍ଭ ସ୍ଥାପନ ହେବ । ଏଥି ସହିତ ନଭେମ୍ବର ୨୨ ତାରିଖରେ କଳସ ଯାତ୍ରା ପରେ ଘୃତ ଯଜ୍ଞ, ନାମଯଜ୍ଞ, ଅର୍ଣ୍ଣଯଜ୍ଞ, ଗୋଯଜ୍ଞ ସପ୍ତାହେ ବ୍ୟାପି ଆୟୋଜିତ ହେବ । ଦୂରଦୂରାନ୍ତରୁ ଆସିଥିବା ସାଧୂସନ୍ଥମାନଙ୍କ ରହିବା, ଖାଇବା ସହ ଅନ୍ୟାନ୍ୟ ବ୍ୟବସ୍ଥା ସହ ଯଜ୍ଞର ସୁପରିଚାଳନା ନିମନ୍ତେ ବିଭିନ୍ନ ଅନୁଷ୍ଠାନକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏଥି ସହିତ କାଯ୍ୟକ୍ରମର ସଭାପତି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପସଭାପତି ଅକ୍ଷୟ କୁମାର ନାୟକ, ସମ୍ପାଦକ ଗୋପବନ୍ଧୁ ମହାପାତ୍ର, ସହ ସମ୍ପାଦକ ସୁରେନ୍ଦ୍ର ବିଷୋୟୀ, କୋଷାଧକ୍ଷ କେ. ଶଙ୍କର ନାରାୟଣ ପାତ୍ରଙ୍କୁ ଚୟନ କରାଯାଇଛି। ସେହିପରି ଉପଦେଷ୍ଟା ମଣ୍ଡଳୀରେ ଜୟରାମ ସୁବୁଦ୍ଧି, ଦେବେନ୍ଦ୍ର ପ୍ରସାଦ ମିଶ୍ର, ପର୍ଶୁରାମ ସ୍ୱାଇଁ, ପଦ୍ମଚରଣ ପ୍ରଧାନ, ଶିବରାମ ପଣ୍ଡାଙ୍କୁ ଚୟନ କରାଯାଇଛି।