ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ସିଡ଼ିପିଓ ଜୟଶ୍ରୀ ପଟ୍ଟନାୟକ ଆଜି ଜଣେ ଅଙ୍ଗନ ବାଡ଼ି କର୍ମୀଙ୍କ ଠାରୁ 2000 ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଉରକେଲା ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ଗିରଫ ହେବା ପରେ ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଧିକ ତଦନ୍ତ ପାଇଁ ଅଣାଯାଇଛି । ଗିରଫ ଅଭିଯୁକ୍ତ ଜୟଶ୍ରୀ ପଟ୍ଟନାୟକ ତେଲିଘନା ଅଙ୍ଗନ ବାଡ଼ି କେନ୍ଦ୍ର ପରିଦର୍ଶନ କଲା ବେଳେ ସେହି କେନ୍ଦ୍ରରେ କିଛି ଅନିୟମିତତା ଦେଖିଥିଲେ । ପରେ ସେ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଲଷ୍ଟୀକା ଖାଲକୋଙ୍କୁ ଏନେଇ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନ ଦେଲେ ସେ ଅଙ୍ଗନବାଡି କର୍ମୀଙ୍କ ଦରମା ବନ୍ଦ କରିଦେବା ସହ ତାଙ୍କୁ ଚାକିରିରୁ ବିତାଡିତ କରିବାର ଧମକ ଦେଇଥିଲେ । ଫଳରେ ଅଙ୍ଗନବାଡି କର୍ମୀ ଜଣଙ୍କ ତାଙ୍କୁ ଟଙ୍କା ଦେବେ ବୋଲି ରାଜି ହେବା ସହ ରାଉରକେଲା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ରାଉରକେଲା ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା । ରାଉରକେଲା ଭିଜିଲାନ୍ସ କେଶ ନମ୍ବର 12ରେ ଦଫା 7 PC ( Amendnent) -2018 ରେ ତାଙ୍କୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ଜୟଶ୍ରୀ ପଟ୍ଟନାୟକଙ୍କୁ ଆଉ କିଛି ସମୟ ମଧ୍ୟରେ କୋର୍ଟ ଚାଲାଣ କରାଯିବ ବୋଲି ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ସୂଚନା ଦେଇଛନ୍ତି ।