କୋକସରା(ତ୍ରିଲୋକ୍ୟ ବେଶ୍ରା): ରାଜ୍ୟ ବିଜେପି ସରକାରଙ୍କ ପକ୍ଷରୁ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଆର୍ଥିକ ସହାୟତା ନିମନ୍ତେ ସୁଭଦ୍ରା ଯୋଜନା ଆରମ୍ଭ ହୋଇଛି ।ଏହି ଯୋଜନାରେ ପଞ୍ଜିକୃତ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ହଜାର ହିସାବରେ ୫ ବର୍ଷ ରେ ୫୦ ହଜାର ସହାୟତା ରାଶି ମିଳିବାର ପ୍ରାବଧାନ ରହିଛି । ସୁଭଦ୍ରା ଯୋଜନା ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରତି ବ୍ଲକରେ ଥିବା ସରକାରଙ୍କ ଦ୍ଵାରା ରେଜିଷ୍ଟିଭୁକ୍ତ ଗ୍ରାହକ ସେବା କେନ୍ଦ୍ର(ସିଏସସି)ରେ ଅନ ଲାଇନ ଆବେଦନ କରିବାକୁ ନିର୍ଦ୍ଦେଶ ରହିଛି । ତେବେ ଅନ ଲାଇନ କରିବା ପାଇଁ ଗ୍ରାହକ ସେବା କେନ୍ଦ୍ର ପାଇଁ କୌଣସି ନିର୍ଦ୍ଧାରିତ ଫିସ ରାଜ୍ୟ ସରକାରଙ୍କ ପକ୍ଷରୁ ଦେବା ପାଇଁ ଗାଇଡ଼ ଲାଇନ ନାହିଁ । ଏଣୁ ଏହାକୁ ପ୍ରତିବାଦ କରି ସୋମବାର କୋକସରା ବ୍ଲକର ୨୨ ପଞ୍ଚାୟତରେ ଥିବା ଗ୍ରାହକ ସେବା କେନ୍ଦ୍ରର ସିଏସସି, ଭିଏଲଇ ସଙ୍ଘ ପକ୍ଷରୁ ୨ ଦଫା ଦାବିପତ୍ର କୋକସରା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ଜରିଆରେ ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ଯଦି ସରକାର ମାଗଣାରେ ହିତାଧିକାରୀଙ୍କ ଅନଲାଇନ କରିବାକୁ ଚାହୁଁଛନ୍ତି ତାହେଲେ ମାସିକ ଦରମା ଦେବା ବ୍ୟବସ୍ଥା କରନ୍ତୁ l ନଚେତ ପ୍ରତିଟି ଅନ ଲାଇନ ବାବଦରେ ୧୦୦ ଟଙ୍କା ଫିସ ନିର୍ଦ୍ଧାରିତ କରନ୍ତୁ ବୋଲି ଉଲ୍ଲେଖ ରହିଛି । ଯଦି ଆମ ଦାବିକୁ ଅଣଦେଖା କରିବେ ସଙ୍ଘ ପକ୍ଷରୁ ସୁଭଦ୍ରା ଯୋଜନା ଅନଲାଇନରେ ଅସହଯୋଗ କରାଯିବ ବୋଲି କହିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ବିଦ୍ୟାଧର ଖର୍ସେଲ, ଚନ୍ଦ୍ର ଶେଖର ନାଏକ, ତାପସ ରଞ୍ଜନ ବାଗ, ସୋହାନ ରଞ୍ଜନ ଠାକୁର, କୈଳାସ ଚନ୍ଦ୍ର ଗୋପାଳ, ଆକାଶ ସରାବୁ, ବିରେନ୍ଦ୍ର ଖର୍ସେଲ, କୈଳାଶ ଖର୍ସେଲ, ଖଗେଶ୍ୱର କଟା, ଅଭିମନ୍ୟୁ ନାଗ, ଧର୍ମେନ୍ଦ୍ର ନାଗ, ଭୁପେନ୍ଦ୍ର ପୋଢ଼ ସମେତ ସଙ୍ଘର ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।