ଗୋଲାମୁଣ୍ଡା(ଅଶ୍ବିନୀ ମଲ୍ଲିକ): ବିଦ୍ୟାଳୟକୁ ମଣିଷ ତିଆରି କାରଖାନା କୁହାଯାଏ । ଏଠାରେ ଛାତ୍ରର ଉତ୍ତମ ଚରିତ୍ର ଓ ଉଜ୍ଜଳ ଭବିଷ୍ୟତ ଗଠନ କରିବାର ଢାଞ୍ଚା ତିଆରି ହୁଏ । ତା ସହିତ ଉତ୍ତମ ପରିବେଶ ନିହାତି ଆବଶ୍ୟକ । କିନ୍ତୁ ଗୋଲାମୁଣ୍ଡା ବ୍ଲକ ସାନଚେରଗଁରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି । ପାଖାପାଖି ଦୁଇ ସ୍କୁଲ ମଝିରେ ଏକ ଦେଶୀ ମଦ ଭାଟି ଥିବାରୁ ପିଲାଙ୍କ ଭବିଷ୍ୟତ ପାଇଁ ବାଧକ ସାଜୁ ଥିବା ଅଭିଭାବକଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି । ଗୋଟିଏ ପଟେ ମଦ ଭାଟିରୁ ୫୦ ମିଟର ଭିତରେ ଆଞ୍ଚଳିକ ବସ୍ତରଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୧୯୯୬ ମସିହାରୁ ସ୍ଥାପିତ ହୋଇ ଉଭୟ +୨ କଳା ଓ ବିଜ୍ଞାନରେ ମୋଟ ୧୦୦୩ ସଂଖ୍ୟକ ଛାତ୍ର/ଛାତ୍ରୀ ଅଧ୍ୟୟନ କରୁଥିବାବେଳ ଅନ୍ୟପଟେ ମଦ ଭାଟିକୁ ଲାଗି ରହିଛି+୨ ଆବାସିକ ବିଜ୍ଞାନ ତ୍ରିନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ଏଥିରେ ସଂଯୁକ୍ତ ଅଛି ନର୍ସରୀ ଠାରୁ ଷ୍ଟାଣ୍ଡର୍ଡ଼ -୪ ପବ୍ଲିକ ସ୍କୁଲ । ଯେଉଁଥିରେ କୁନି କୁନି ଛାତ୍ରଛାତ୍ରୀ ରହିଛନ୍ତି ।କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଅବକାରୀ ବିଭାଗର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ମଦ ଭାଟିଟି ମୁଖ୍ୟ ରାସ୍ତା କଡ଼ରେ ଥିବାରୁ ଏବଂ ନିକଟ ଅତୀତରେ ଅନେକ ଦୁର୍ଘଟଣା ଘଟି ଥିବାରୁ ଏବଂ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଓ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗକୁ ଗଣ ପର୍ବ ନୂଆଖାଇ ଆସୁଥିବାରୁ ଏବଂ ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସମସ୍ତ ଅଭିଭାବକ ଓ ବୁଦ୍ଧିଜିବି ମହଲରେ ଏହାର କୁପରିଣାମ ଉପରେ ଚର୍ଚ୍ଚା ହେଉଛି ।