ଓଲମା ଗ୍ରାମରେ ଉଦଘାଟିତ ହେଲା ନୂତନ ସାପ୍ତାହିକ ବଜାର, ପଞ୍ଚାୟତ ଅଞ୍ଚଳରେ ଖୁସିର ଲହରୀ…

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ଚାରିଛକରେ ରବିବାର ନୂତନ ସାପ୍ତାହିକ ବଜାର ଉଦଘାଟନ ହୋଇ ଯାଇଛି । ଗମ୍ଭାରୀଗୁଡା ପଞ୍ଚାୟତ ଅଞ୍ଚଳର ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ଗ୍ରାମ ପଞ୍ଚାୟତ ପକ୍ଷରୁ ଓଲମା ଗ୍ରାମ ଠାରେ ସାପ୍ତାହିକ ବଜାର ଉଦଘାଟନ କରାଯାଇଛି । ପୂର୍ବରୁ ଏହି ପଞ୍ଚାୟତ ବାସୀଙ୍କୁ ସାପ୍ତାହିକ ବଜାର ପାଇଁ କୋକସରା, ଲଡୁଗାଁ ବଜାର ଉପରେ ନିର୍ଭର କରିବାକୁ ପଡୁଥିଲା । ରବିବାର ସାପ୍ତାହିକ ବଜାର ଉଦଘାଟନ ଅବସରରେ ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା । ଏହି ସାପ୍ତାହିକ ବଜାର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ଯୋଗଦେଇ ସାପ୍ତାହିକ ବଜାରକୁ ଅଞ୍ଚଳର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବଜାର କମିଟିର ଉପ-ସଭାପତି ବଳରାମ ସାଗର, ସମ୍ପାଦକ ଲଛମନ ନାଏକ, ତ୍ରିନାଥ ଶବର, ସଦସ୍ୟ ଚୈତନ୍ୟ ଲହଜଳ, ଜୟ ଶଙ୍କର ପଟେଲ, ସିଧେଶ୍ୱର ନାଏକ, ପବିତ୍ର ମାଝୀ ସନାତନ ବେମାଲ, ପ୍ରମୋଦ ପଣ୍ଡା, ଦିଲୀପ ସାହୁ, ଗୋପୀନାଥ ପଣ୍ଡା, ଜୟସେନ ମାଝୀ, ଦୁଷ୍ମନ୍ତ ବାଗ, ବସନ୍ତ ନାଗ, ଦିଲୀପ କୁମାର ପଟ୍ଟନାୟକ, କଣ୍ଠ ରାଉତ, ଚନ୍ଦ୍ରହାସ୍ୟ ରାଉତ ଉପସ୍ଥିତ ରହି ନୂତନ ଭାବେ ଆଜିଠାରୁ ଆରମ୍ଭ ହୋଇଥିବା ସାପ୍ତାହିକ ବଜାରକୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ପରିଚାଳନା କରିବା ପାଇଁ ଅଞ୍ଚଳର ଜନସାଧାରଣଙ୍କ ନିକଟରେ ସହଯୋଗ କାମନା କରିଥିଲେ ।