ଜିଲ୍ଲାପାଳଙ୍କ ଉତ୍ତରରେ ଅସନ୍ତୋଷ ଜନତା: ଆନ୍ଦୋଳନ ପାଇଁ ସଜବାଜ, ଅଣ୍ଟା ଭିଡ଼ିଲେ ୮ ପଞ୍ଚାୟତର ଲୋକ ପ୍ରତିନିଧି….

ଦାରିଙ୍ଗବାଡି (ଆଶୋକ ସିଂ): ଆମ ରାଜ୍ୟର ଅନ୍ୟ ଏକ ବୃହତ୍ତମ ବ୍ଲକ ହେଉଛି ଦାରିଙ୍ଗବାଡି l ଯାହା ଓଡ଼ିଶାର କଶ୍ମୀର ନାମରେ ପରିଚିତ l ୨୫ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଦାରିଙ୍ଗବାଡ଼ି ବ୍ଲକ ଗଠିତ l ଏହି ବ୍ଲକରେ ଥିବା ପଞ୍ଚାୟତ ଗୁଡ଼ିକର ଅନେକ ଗ୍ରାମ ଅପହଞ୍ଚ ଇଲାକାରେ ଅବସ୍ଥିତ । ସେଥି ମଧ୍ୟରୁ ୧୧ନଂ ଜିଲ୍ଲା ପରିଷଦ ଜୋନର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠଗୋଟି ପଞ୍ଚାୟତ ଗଦା ପୁର, ସରାମୂଳୀ, ହାତିମୁଣ୍ଡା, ଝିଞ୍ଜିରିଗୁଡା, କୁମ୍ଭାରି ଗାଁ, କାଟିଙ୍ଗିଆ ଓ ତାଜୁଙ୍ଗିଆ ପଞ୍ଚାୟତକୁ ନେଇ ବ୍ରାହ୍ମଣୀଗାଁରେ ଏକ ନୂତନ ବ୍ଲକ ଗଠନ କରିବା ପାଇଁ ୪୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଦାବୀ ହୋଇ ଆସୁଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଠୀ କରଣ ଦିଆ ଯାଇ ନାହିଁ । ଅଞ୍ଚଳର ନେତୃବୃନ୍ଦଙ୍କୁ ନେଇ ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ପର୍ଯ୍ୟାୟ କ୍ରମେ ଦାବୀ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଦୁର୍ଗମ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜପାଙ୍କା ଠାରୁ ବ୍ଲକ କାର୍ଯ୍ୟାଳୟକୁ ୭୦କିମି ଦୂର ହେଉଥିବା ବେଳେ ସରାମୁଳି ପଞ୍ଚାୟତର ବୁଡୁସୁଲାଗ୍ରାମରୁ ପ୍ରାୟ ୬୦କିମି ବ୍ରାହ୍ମଣୀଗାଁ ଠାରୁ ୪୦ କିମି ଦୂରରେ ଅବସ୍ଥିତ । ପ୍ରତ୍ୟେକ ସରକାରୀ ସୁବିଧା ବିଶେଷ କରି ତହସିଲ କାର୍ଯ୍ୟ ହେଉ ଅବା ଯୋଗାଣ ବିଭାଗର କାର୍ଯ୍ଯ ତଥା ଆବାସ ଯୋଜନା ଆଦି ବିଭିନ୍ନ ଜରୁରୀ କାର୍ଯ୍ଯରେ ବ୍ଲକ୍ କାର୍ଯ୍ୟାଳୟକୁ ଯିବାକୁ ହେଲେ ପ୍ରାୟ ୪୦ରୁ ୭୦କିମି ବାଟ ଅତିକ୍ରାନ୍ତ କରିବାକୁ ପଡ଼ିଥାଏ l ଯାହା ଏକ ଖଟିଖିଆ ଦିନ ମଜୁରୀଆ ପାଇଁ କଷ୍ଟ ସାଧ୍ୟ ବିଷୟ l ଏତେ ଦୂର ବାଟ ଯାଇ କାମ ନ ହେଲେ ନିରାଶରେ ଫେରିବାକୁ ପଡ଼ିଥାଏ l ସଧାରଣ ଜନତା ଶାରିରୀକ ମାନସିକ ଓ ଆର୍ଥିକ ପୀଡ଼ା ଭୋଗିବାକୁ ପଡ଼ିଥାଏ l ଏହି ସବୁ ବିଷୟକୁ ଅନୁଧ୍ୟାନ କରି ଗତ ସେପ୍ଟେମ୍ବର ମାସ ୨୩ ତାରିଖ ଦିନ ଅଞ୍ଚଳର କିଛି ଜନ ପ୍ରତିନିଧି ଓ ନେତୃବୃନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫୁଲବାଣୀକୁ ଯାଇ ବ୍ରାହ୍ମଣୀଗାଁ ଅଞ୍ଚଳ ପାଇଁ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତି ଦେବା ପାଇଁ ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ l ପୁଣି ୨୯ତାରିଖ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ l ଦାବୀ ପତ୍ର ପାଇବା ପରେ ତତ୍କାଳୀନ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଦେଖିବା ବୋଲି କହିଥିଲେ l ଦୁଃଖର ବିଷୟ ଜିଲ୍ଲାପାଳ ବଦଳି ହୋଇ ଚାଲିଗଲେ କିନ୍ତୁ କଥା ‘ଦେଖିବାରେ’ ଅଟକି ଯାଇଛି l ଜିଲ୍ଲାପାଳଙ୍କ ନିକଟ ରୁ ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୂରତା ଦୃଷ୍ଟିରୁ ଅଞ୍ଚଳ ବାସୀଙ୍କ ଵୃହତ୍ତ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅଞ୍ଚଳର ଜନ ପ୍ରତିନିଧିମାନେ ଅଣ୍ଟା ଭିଡ଼ି ଥିବା ଦେଖିବାକୁ ମିଳିଛି l ଶୁକ୍ରବାର ଦିନ ଅଞ୍ଚଳର ଆଠଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ, ସଭ୍ୟା, ନାଏବ ସରପଞ୍ଚ, ବ୍ଲକ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ଓ ସ୍ଥାନୀୟ ନେତୃବୃନ୍ଦଙ୍କୁ ନେଇ ପୂର୍ବତନ ସରପଞ୍ଚ ଦିବ୍ୟସିଂହ ପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଭିନ୍ନ ସମସ୍ୟା ବିଷୟ ଆଲୋଚନା କରାଯାଇ ବ୍ଲକ କ୍ରିୟାନୁଷ୍ଠାନ କମିଟି ସହ ଜନ ପ୍ରତିନିଧି ମାନଙ୍କ ନେତୃତ୍ୱରେ ବ୍ଲକ ଗଠନ ଦାବୀକୁ ଜୋରଦାର କରିବା ସହ ଜରୁରୀ କାଳୀନ ଭାବେ ଅତିରିକ୍ତ ତହସିଲଦାରଙ୍କ ନିଯୁକ୍ତି ସମ୍ପର୍କରେ ନୂତନ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମାଧାନର ରାସ୍ତା ବାହାର କରିବା ପାଇଁ ସ୍ଥିର କରାଗଲା । ଅଞ୍ଚଳ ବାସୀଙ୍କ ଉକ୍ତ ଦାବିକୁ ପ୍ରଶାସନ ତଥା ରାଜ୍ୟ ସରକାର ଅଣ ଦେଖା କରନ୍ତି l ତେବେ ଅଞ୍ଚଳ ବାସୀଙ୍କୁ ନେଇ ତୀବ୍ରତର ଆନ୍ଦୋଳନକରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି ।