ଭବାନୀପାଟଣା(ତୁଳମଣି ନାଗ): ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିକୁ ନେଇ ତ୍ରୁଟିଶୂନ୍ୟ ସଂକ୍ଷିପ୍ତ ଭୋଟର ତାଲିକା କାର୍ଯ୍ୟକ୍ରମ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ 20.08.2024ରୁ ୧୮.୧୦.୨୦୨୪ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ବି. ଏଲ . ଓ ମାନେ ଘରକୁ ଘର ଯାଇ ଭୋଟର ତାଲିକାରେ ଆବଶ୍ୟକ ସଂଶୋଧନ ସହ ଫୋଟୋ ସମ୍ବନ୍ଧିତ କାର୍ଯ୍ୟକ୍ରମକୁ ତଦାରଖ କରିବେ । ଆସନ୍ତା ୨୦୨୫ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ନୂତନ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ , ମୃତ୍ଯୁ ବରଣ କରିଥିବା ଭୋଟରଙ୍କ ନାମ ବାଦ, ଅନୁପସ୍ଥିତି, ବିବାହ ଜନିତ ଅଦଳବଦଳ, ସଠିକ ଫୋଟୋ ଓ ଠିକଣା ସଂଶୋଧନ କରି ଆସନ୍ତା ୦୬.୦୧.୨୦୨୫ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ହେବ । ଏହା ବ୍ୟତୀତ ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ତାରିଖ ନିର୍ଦ୍ଧାରଣ କରି ଶିବିରର ଆୟୋଜନ ମଧ୍ୟ କରାଯିବ ଓ ଆପତ୍ତି ଅଭିଯୋଗ ଥିଲେ ୨୯.୧୦.୨୦୨୪ରୁ ୨୮.୧୧.୨୦୨୪ ମଧ୍ୟରେ ଏହା ଗ୍ରହଣ ହେବ । ପ୍ରକାଶ ଥାଉ କି କଳାହାଣ୍ଡି ଜିଲ୍ଲାରେ ତଥ୍ୟ ଅନୁସାରେ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୪୧୦ଟି ପୋଲିଂ ବୁଥ ସହ ୩୦.୦୮.୨୦୨୪ ପର୍ଯ୍ୟନ୍ତ ୧୨୦୯୦୦୭ ଜଣ ଭୋଟର ତାଲିକାଭୁକ୍ତ ଅଛନ୍ତି ଓ ଏଥିରୁ ୬୦୬୦୬୨ ଜଣ ପୁରୁଷ , ୬୦୨୮୭୭ ଜଣ ମହିଳା ଓ ୬୦୨୮୭୭ ଜଣ ମହିଳା ଓ ୬୮ ଜଣ ତୃତୀୟ ଲିଙ୍ଗ ଅଟନ୍ତି । ୧୮ ବର୍ଷ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି । ସୁସ୍ଥ ଗଣତନ୍ତ୍ର ପାଇଁ ନିର୍ଭୁଲ ଭୋଟର ତାଲିକା କେତେ ଜରୁରୀ ତାହା ଉପରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ସହଯୋଗକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ରୂପେ ବିଜେପି ଦଳରୁ ଜୟ ଶଙ୍କର ନାଏକ, ବିଜେଡ଼ି ଦଳରୁ ଭବାନୀ ଶଙ୍କର ନିଆଲ, ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଉତ୍ସବ ସାହୁ, ଆମ ଆଦମି ପାର୍ଟିରୁ ସତ୍ୟ ନାରାୟଣ ମାହାର, ବହୁଜନ ସମାଜ ପାର୍ଟିରୁ ସୟଦ ହନିଫ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରୁ ନବ ପଟ୍ଟନାୟକଙ୍କ ସହ ଭାରପ୍ରାପ୍ତ ଉପଜିଲ୍ଲାପାଳ, ଭବାନୀପାଟଣା ଜୟଦେବ ଦାସ, ଡେପୁଟି କଲେକ୍ଟର ( ନିର୍ବାଚନ ) ଚନ୍ଦ୍ରହାସ୍ୟ ମହାନନ୍ଦିଆ, ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ( ସେଭିଙ୍ଗ ଓ ଫାଇନାନ୍ସିଆଲ ) ବିବେକାନନ୍ଦ ମହାନନ୍ଦ, ଡି.ଆଇ.ପି.ଆର.ଓ ମନୋଜ ବେହେରା, ସହକାରୀ ଜିଲ୍ଲାପାଳ ( ଉପ ଜିଲ୍ଲାପାଳ ) ପ୍ରିୟ ରଞ୍ଜନ ସେଠଙ୍କ ସହ ନିର୍ବାଚନ ଶାଖାର କର୍ମଚାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।