ବ୍ରାହ୍ମଣୀଗାଁ ମେଡ଼ିକାଲରେ ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ବଢ଼ୁଛି ଜନନୀ ଯନ୍ତ୍ରଣା, ରାତିରେ ଗର୍ଭବତୀଙ୍କୁ ମିଳୁନି ସ୍ବାସ୍ଥ୍ୟ ସେବା…
ବ୍ରାହ୍ମଣୀଗାଁ(ଆଶୋକ ସିଂ)ତା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମେଡ଼ିକାଲରେ ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି l ବିଭାଗିୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦାରଖର ଅଭାବ ହେତୁ ମେଡ଼ିକାଲ ସମ୍ପର୍କିତ ବିଭିନ୍ନ ସମସ୍ୟା ଲାଗିରହିଛି l ଏହି ମେଡ଼ିକାଲ ଅତି ଦୁର୍ଗମ ଅଞ୍ଚଳର ସାହା ଭରଷା ପାଲଟି ଥିବା ବେଳେ ଏଠାରେ କାର୍ଯ୍ୟରତ ଅଧିକାରୀମାନଙ୍କ ଦାୟିତ୍ବ ହୀନତା ଯୋଗୁଁ ସ୍ଵାସ୍ଥ୍ୟ ସେବା ବିଗିଡ଼ିବାରେ ଲାଗିଛି । ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ସୀମାନ୍ତ କାଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କୁଟ୍ରୁକା ଗ୍ରାମର ରୋନି ନାୟକ ଙ୍କ ପତ୍ନୀ ପ୍ରିୟା ସ୍ଵାଲ ସିଂ ଙ୍କ ଗର୍ଭ ବେଦନା ଆରମ୍ଭ ହେବାରୁ ଶୁକ୍ରବାର ଦିନ ସନ୍ଧ୍ୟା ପ୍ରାୟ ସାତଟା ବେଳେ ଆଶା କର୍ମୀ ଦର୍ଶନି ବଳିଆର ସିଂଙ୍କୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଜରୀଆରେ ରାତ୍ର ପ୍ରାୟ ୯ଟା ସମୟରେ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ପହଞ୍ଚାଇ ଥିଲେ l ସେହି ସମୟରେ ମେଡ଼ିକାଲ ବନ୍ଦ ରହିଥିବାରୁ, ଗର୍ଭବତୀଙ୍କ ସମ୍ପର୍କୀୟମାନେ ଷ୍ଟାଫ୍ ମାନଙ୍କ କ୍ୱାର୍ଟରକୁ ଯାଇ ଡ଼ାକି ଥିଲେ l ତାଙ୍କ ଡ଼ାକ ଶୁଣି ମେଡ଼ିକାଲର ପିଅନ ଧୋବା ଆସି ପ୍ରସବ ପ୍ରକୋଷ୍ଠ ଖୋଲି ଦେଇଥିଲେ l କିନ୍ତୁ ପ୍ରସବ ବେଦନା ଭରା ସେହି ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇବା ପାଇଁ କେହିବି ଡାକ୍ତର କିମ୍ବା ନର୍ସ ତାଙ୍କ ପାଖରେ ପହଞ୍ଚି ନଥିଲେ । ବାରମ୍ଵାର ଡାକ୍ତରଙ୍କୁ ଫୋନ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଫୋନ କଲ୍ ରିସିଭ କରି ନ ଥିଲେ କି ବାରମ୍ଵାର ଚିତ୍କାର କରି ତାଙ୍କ ଗେଟ କୁ ବାଡ଼େଇ ବାଡ଼େଇ ଉଠାଇ ଥିଲେ ବି ସେ ଉଠି ନଥିଲେ ।
ପ୍ରାୟ ଦୁଇଘଣ୍ଟା ଉଠାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ଗଣମାଧ୍ୟମ ପ୍ରତିନିଧି ମାନେ ସେଠାରେ ପହଞ୍ଚି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନ୍ ଚାରର୍ଜ ଡାକ୍ତର ଜାକେଶ ସାମନ୍ତ ରାୟଙ୍କୁ ଯୋଗାଯୋଗ କରିଥିଲେ l ଘଟଣା ସଂପର୍କରେ ଜାଣିବା ପରେ ସେ ଅନ୍ୟ ଜଣେ ନର୍ସଙ୍କୁ ପଠାଇ ଥିଲେ l ହେଲେ ଉକ୍ତ ନର୍ସ ଜଣକ ଆସି ଦେଖିବା ପରେ ପ୍ରସବ ପାଇଁ ଆହୁରି ସମୟ ଲାଗିବ, ଯେହେତୁ ଏହା ପ୍ରଥମ ଗର୍ଭ , ରିସ୍କ ଅଛି ଏଣୁ ଅନ୍ୟତ୍ର ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଦୂରଦୂରାନ୍ତରୁ ଆସିଥିବା ଗର୍ଭବତୀ ମହିଳା ଓ ତାଙ୍କ ସମ୍ପର୍କୀୟମାନେ ନିରୁପାୟ ହୋଇ ରାତ୍ର ପ୍ରାୟ ସାଢେ଼ ବାରଟା ବେଳେ ଝଡ଼ ବର୍ଷାରେ ଅନ୍ୟ ଏକ ମେଡ଼ିକାଲକୁ ସ୍ଥାନାନ୍ତର କରିଥିବା ଜଣା ପଡ଼ିଛି । ପ୍ରଥମେ ସେମାନେ ମୋହନା ମେଡ଼ିକାଲକୁ ନେଇ ଥିଲେ l ସେଠାରୁ ପୁଣି ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ମେଡ଼ିକାଲକୁ ଯିବା ବାଟରେ ଆମ୍ବୁଲାନ୍ସରେ ହିଁ ପ୍ରସବ କରିଥିବା ନେଇ ସମ୍ପର୍କୀୟମାନେ କହିଛନ୍ତି । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଏପରି ଦୁର୍ଗମ ଅଞ୍ଚଳରେ ଥିବା ମେଡ଼ିକାଲ ପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ଅବହେଳା କରାଯାଉ ଥିବାରୁ ଗର୍ଭବତୀ ମହିଳାମାନେ ଯନ୍ତ୍ରଣା ରେ ଛଟପଟ ହେବା ସାଥେ ସାଥେ ଅକାଳ ମୃତ୍ୟୁର ଶିକାର ହେଉଥିବା ନଜିର ରହିଛି ।
ବ୍ରାହ୍ମଣୀଗାଁ ମେଡ଼ିକାଲରେ ଗର୍ଭବତୀ ମହିଳାଙ୍କ ପାଇଁ କୌଣସି ପ୍ରତୀକ୍ଷା ପ୍ରକୋଷ୍ଠ ନଥିବାରୁ ସବୁବେଳେ ହଇରାଣ ହରକତ ହେବାକୁ ପଡୁଛି, ପ୍ରକାଶ ଥାଉ କି କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ତଥା ଗଞ୍ଜାମ ଗଜପତି ଓ ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଏହି ମେଡ଼ିକାଲ ଥିବାରୁ ଅଞ୍ଚଳର ଜନସାଧାରଣ ରୋଗୀ ସେବା ପାଇଁ ଏହି ମେଡ଼ିକାଲ ଉପରେ ନିର୍ଭର କରିଥାନ୍ତି l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୂରତା ଦୃଷ୍ଟିରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅଞ୍ଚଳ ବାସୀଙ୍କ ଦାବୀ ମୁତାବକ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଏକ ପ୍ରସବ କେନ୍ଦ୍ର ଓ ଶବ ବ୍ୟବଛେଦ ପାଇଁ ସରକାରଙ୍କ ପକ୍ଷରୁ ସୁବିଧା ଯୋଗାଇ ଦିଆ ଯାଇଛି। କିନ୍ତୁ ଏଠି କାର୍ଯ୍ୟରତ କର୍ମଚାରୀ ମାନଙ୍କ ସେବା ମନୋଭାବର ଅଭାବ ହେତୁ ଏଠାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହା ପ୍ରଥମ ଘଟଣା ନୁହେଁ l ବାରମ୍ବାର ରାତ୍ରି କାଳୀନ ପ୍ରସବ ସମୟରେ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଯେହେତୁ ଏଠି ପ୍ରସବ କରିବା ସୁବିଧା ରହିଛି l ଏଣୁ ପ୍ରସୂତୀ ବିଭାଗର ଜଣେ ଅତିରିକ୍ତ ଡାକ୍ତରଙ୍କୁ ନିଯୁକ୍ତି କରିବା ସହ ଗର୍ଭବତୀଙ୍କ ପାଇଁ ପ୍ରତୀକ୍ଷା ପ୍ରକୋଷ୍ଠ ନିର୍ମାଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।