ରାଇରଙ୍ଗପୁରରେ ୬୪ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ…

ରାଇରଙ୍ଗପୁର(ଉତ୍ତମ ରାମ): ବିକଶିତ ଭାରତ ପାଇଁ ସହରାଞ୍ଚଳର ବିକାଶ ଯେମିତି ଏକ ଅବିଚ୍ଛେଦ୍ୟ ଅଙ୍ଗ, ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ହେଉଛି କ୍ଷମତା ବିକେନ୍ଦ୍ରୀକରଣର ଏକ ଅଭିନ୍ନ ସୋପାନ l
ରାଇରଙ୍ଗପୁରରେ ସହରାଞ୍ଚଳ ବିକାଶକୁ ତରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ରାଇରଙ୍ଗପୁର ପୌରପାଳିକା ତରଫରୁ ୬୪ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସକାଳ ୭ ଘଟିକା ସମୟରେ ପୌରପାଳିକା କାର୍ଯ୍ୟାଳୟ ପରିସରରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପିତାମ୍ବର ନାୟକ, ଉପାଧ୍ୟକ୍ଷା ଶ୍ରୀମତୀ ମମିତା ଚୌଧୁରୀ ଓ ଅନ୍ୟାନ୍ୟ ପାରିଷଦ ବୃନ୍ଦ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ସମବେତରେ ଜାତୀୟ ସଂଗୀତ ଗାନ କରାଯାଇଥିଲା l ଏହା ପରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା l ଏହି ଉପଲକ୍ଷେ କଚେରୀ ପଡିଆ ଠାରେ ଆୟୋଜିତ ସମାରୋହ ଉତ୍ସବରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ସାମୁହିକ ପ୍ୟାରେଡରେ ମୟୁରଭଞ୍ଜର ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ନବ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ l ପୂର୍ବାହ୍ନ ୧୧ ଘଟିକା ସମୟରେ ଆଭାସୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ପୁନଃ ନବୀକରଣ ହୋଇଥିବା ମହତାବ ଭବନ ଏବଂ ବଡବନ୍ଧ ଠାରେ ନୂତନ ନୌବିହାର ପ୍ରକଳ୍ପ ଜନସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହୋଇଥିଲା l ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ପରେ ଦିବସର ମୁଖ୍ୟ ଅତିଥି, ଅଧ୍ୟକ୍ଷ, ଉପାଧ୍ୟକ୍ଷା, ଅନ୍ୟାନ୍ୟ ପାରିଷଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟ ମାନଙ୍କ ସହିତ ମହତାବ ଭବନ ପରିଦର୍ଶନ କରିବା ସହିତ ବଡ଼ବନ୍ଧରେ ନୌକା ବିହାର କରିଥିଲେ l ଅପରାହ୍ନରେ ମହତାବ ଭବନ ଠାରେ କୌତୁକ ପୋଷାକ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ଓ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଉପଖଣ୍ଡ ଚିକିତ୍ସାଳୟ ରୋଗୀ ଏବଂ ଉପକାରାଗାର ଅନ୍ତେବାସୀମାନଙ୍କୁ ପୌରପାଳିକା ତରଫରୁ ଫଳ ବଣ୍ଟନ କରାଯାଇଥିଲା l ପ୍ରତ୍ୟୁଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାଇରଙ୍ଗପୁର ସହରାଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ପରିବେଷଣ କରାଯାଇଥିଲା l ଆଜିର ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବିକାଶ ରଞ୍ଜନ ମହାନ୍ତି, ଶିକ୍ଷକ ରଞ୍ଜନ କୁମାର ନନ୍ଦ, ଅବସର ପ୍ରାପ୍ତ ଶିକ୍ଷକ ଦିଲୀପ କୁମାର ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ଓ କାର୍ଯ୍ୟକ୍ରମ ସୁପରିଚାଳନାରେ ପୌରପାଳିକାର ସମସ୍ତ କର୍ମଚାରୀ ତଥା କର୍ମକର୍ତ୍ତାମାନେ ସହଯୋଗ କରିଥିଲେ l