ସୁନ୍ଦରଗଡ଼ କୋର୍ଟ ପରିସରରେ ଜଣେ ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ଼ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟ ପରିସରରେ ଆଜି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୀଡ଼ିତା ମହିଳା ଜଣକଙ୍କ ସପକ୍ଷରେ ରାୟ ହେଉ ନ ଥିବାର ଖବର ପାଇ ମହିଳା ଜଣଙ୍କ ଏପରି କରିଥିବା କଥା ଗଣମାଧ୍ୟମକୁ କହିଛନ୍ତି । ତେବେ ପୀଡ଼ିତା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ । ଆଜି ସେହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ସମ୍ପୃକ୍ତ ପୀଡ଼ିତା ମହିଳାଙ୍କୁ କୋର୍ଟରେ କାର୍ଯ୍ୟରତ ଥିବା କେହି ଜଣେ ଅଧିକାରୀ ରାୟ ସମ୍ପର୍କିତ ସୂଚନା ଦେଇଥିଲେ । ଏହି ସୂଚନା ପାଇବାପରେ ମହିଳା ଜଣଙ୍କ ଆଠଗୋଟି ପାରାସିଟାମଲ ଟାବଲେଟ ଖାଇ କୋର୍ଟ ପରିସରର ଟଳି ପଡ଼ିଥିଲେ । ତେବେ କୋର୍ଟରେ କାର୍ଯ୍ୟରତ ଜଣେ ପବ୍ଲିକ୍ ପ୍ରସିକ୍ୟୁଟରଙ୍କ ନଜରକୁ ଏହି ଘଟଣା ଆସିବା ପରେ ସେ ସ୍ଥାନୀୟ ପୁଲିସକୁ ଅବଗତ କରାଇବା ସହ ସଂମ୍ପୃକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ମହିଳା ଜଣକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଥିବା କଥା ଚିକିତ୍ସାକରୁ ଥିବା ଡାକ୍ତର କହିଛନ୍ତି । ଅପରପକ୍ଷେ ପୀଡ଼ିତା ଜଣଙ୍କ ସେହି ସୂଚନା ଦାତାଙ୍କ ନାମ କୌଣସି ପରିସ୍ଥିତିରେ କହିବେ ନାହିଁ ବୋଲି ଗଣ ମାଧ୍ୟମକୁ ରୋକ୍ ଠୋକ୍ ମନା କରିଦେଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି କିଏ ସେହି ମହାନ ବ୍ୟକ୍ତିତ୍ଵ ଯିଏ କି କୋର୍ଟର ଆଭ୍ୟନ୍ତରୀଣ (ରାୟ ଘୋଷଣା ହେବା ପୂର୍ବରୁ) କଥା ନିଜ ସ୍ବାର୍ଥ ପାଇଁ ପ୍ରକାଶ କଲେ ? କୋର୍ଟ ଭଳିଆ ସମ୍ବେଦନଶୀଳ ବା ନ୍ୟାୟିକ ମନ୍ଦିରରେ ଚାଲିଥିବା ଏଭଳି ବ୍ୟବସ୍ଥାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ସୂଚନା ପ୍ରଦାନକାରୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସଚେତନ ନାଗରିକ ଦାବି କରିଛନ୍ତି।