ଉପଖଣ୍ଡସ୍ତରୀୟ ଇନଫୋର୍ସମେଣ୍ଟ ବୈଠକ ଅନୁଷ୍ଠିତ, ବ୍ୟାପକ ହେବ ମାଦକଦ୍ରବ୍ୟ ଧରପଗଡ଼…

ଭଞ୍ଜନଗର(ନିଲୁ ବିଷୋୟୀ) : ଜିରୋ ଟଲେରେନ୍ସ ନୀତି ଆପଣାଇବା ପରେ ମଧ୍ୟ କେଉଁଠି ଚୋରା ମଦ କାରବାର ହେଉଛିତ କେଉଁଠି ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଛି । ସେସବୁ ଉପରେ ନଜର ରଖିବା ସହ ଚଢ଼ାଉକୁ ଜୋରଦାର କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ଇନଫୋର୍ସମେଣ୍ଟ ବୈଠକରେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଅଧ୍ୟକ୍ଷତା କରି ମାଦକଦ୍ରବ୍ୟ ଧରପଗଡ଼କୁ ବ୍ୟାପକ କରିବାକୁ ପରାମର୍ଶ ଦେଇଛନ୍ତି । ଉଭୟ ଅବକାରୀ ଓ ପୁଲିସ ମିଳିତ ଭାବେ ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ଚଢାଉ କରି ଚୋରା ମଦ କାରବାରକୁ ସମୂଳେ ନଷ୍ଟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଗଂଜାମ ଜିଲ୍ଲାରେ ବାରମ୍ବାର ମଦ ମୃତ୍ୟୁ ଘଟିବା ପରେ ଜିଲ୍ଲା ପ୍ରଶାସନର ଚେତା ପଶିଛି । ଆଗକୁ ଯେପରି ଏଭଳି ଘଟଣାର ଆଉ ପୁନରାବୃତ୍ତି ନଘଟେ ତାହା ଉପରେ ଅଧିକ ଫୋକସ ରଖି କାର୍ଯ୍ୟ ବଢାଇବାକୁ ଉପଜିଲ୍ଲାପାଳ ସେଠୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଉପଖଣ୍ଡର ସମସ୍ତ ତହସିଲଦାର, ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ୱ ରଞ୍ଜନ କର, ଭଞ୍ଜନଗର ଅବକାରୀ ଆଇଆଇସି ଡମ୍ବୁରୁଧର ହରିଜନ, ଭଞ୍ଜନଗର ଅବକାରୀ ଓଆଇସି ଅଲିଭା ମାଝୀ, ସୋରଡା ଓଆଇସି ରାକେଶ ଖୁଣ୍ଟିଆ, ବୁଗୁଡ଼ା ଓଆଇସି ମୋଜି ଶବର, ଆସିକା ଓଆଇସି ରବୀନ୍ଦ୍ର ନାଥ ବିଶାଳ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।