ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ନୂଆପଡା ଜିଲ୍ଲାରେ ପ୍ରସ୍ତୁତି ବୈଠକ….

ନୂଆପଡା(ବିରବଲ ପ୍ରଧାନ ): ନୂଆପଡା ଜିଲ୍ଲାରେ ଓଡିଶା ସରକାରଙ୍କ ମହିଳା ବିକାଶ ପାଇଁ ମହତ୍ୱାକାଂକ୍ଷୀ ଯୋଜନା ସୁଭଦ୍ରାର ସଫଳ ରୂପାୟନ ପାଇଁ ଓ ସୱାନ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆଭାସୀ ମାଧ୍ୟମରେ ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଯୋଡି ହୋଇ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା l ରାଜ୍ୟରେ ଏହି ଯୁଗାନ୍ତକାରୀ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀମାନେ ସଚେତନ ହୋଇ ବହୁ ମାତ୍ରାରେ କିଭଳି ଯୋଗ ଦେଇ ପାରିବେ ତା ଉପରେ ବିଶଦ ଆଲୋଚନା ହୋଇଥିଲା l ମହିଳା ଓ ଶିଶୁ ବିକାଶ ଅଧୀନରେ ଅଙ୍ଗନବାଡି କର୍ମୀମାନେ ଘର ଘର ଯାଇ ୨୧ ରୁ ୬୦ ବର୍ଷ ପର୍ଯ୍ୟନ୍ତ ଯୋଗ୍ୟ ମହିଳା ହିତାଧିକାରୀ ଚି଼ହ୍ନଟ କରିବେ l ଏଥିପାଇଁ ସେମାନଙ୍କ ଆଧାର କାର୍ଡକୁ ମୋବାଇଲ ସହିତ ଲିଙ୍କ କରାଯିବ l ଡିବିଟି ମାଧ୍ୟମରେ ମହିଳାମାନଙ୍କ ଆକାଉଣ୍ଟକୁ ସିଧାସଳଖ ବାର୍ଷିକ ୧୦୦୦୦ଟଙ୍କା ପଠାଯିବ l ଯେଉଁ ମହିଳାମାନଙ୍କ ଆଧାର କାର୍ଡ, ବେଙ୍କ ଆକାଉଣ୍ଟ ଇତ୍ୟାଦି ନାହିଁ ସେମାନଙ୍କ ନିଜ ବ୍ଲକରେ ସ୍ୱତନ୍ତ୍ର ଶିବିରମାନ କରି ଏସବୁ ସୁବିଧା ଯୋଗାଇ ଦିଆଯିବ l ଘରେ ଘରେ ଏହି ଯୋଜନାର ଲାଭ ପହଞ୍ଚାଇବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯିବ l ବିନା ହଇରାଣ ହରକତରେ ଏବଂ କୌଣସି ମଧ୍ୟସ୍ଥି ଦଲାଲ ହାବୁଡ଼ରେ ନପଡ଼ି ଏହି ମହତ୍ୱକାଂକ୍ଷୀ ଯୋଜନାର ଲାଭ କିଭଳି ଜିଲ୍ଲାର ସବୁ ଯୋଗ୍ୟ ମହିଳା ପାଇପାରିବେ ଏଥି ପ୍ରତି ସ୍ୱତନ୍ତ୍ର ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ସମସ୍ତ ଉପସ୍ଥିତ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ l ଆଜିର ଏହି ବୈଠକରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଭୀମସେନ ଶବର, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଏଡିଏସ ଡବ୍ଲୁ ଓ ମିନତୀ ପତି, ସମାଜ ମଙ୍ଗଳ ବିଭାଗର ଅନ୍ୟାନ୍ୟ ଅଧିକାରୀ,ଏଲ ଡି ଏମ ସୀତାରାମ ମେହେର, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ l