ସ୍କୁଲ ଗେଟକୁ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ, ଗେଟ୍ ବାହାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ….

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଲହଣ୍ଡାବୁଡ ଗ୍ରାମର ଉଚ୍ଚ ପ୍ରଥମିକ ବିଦ୍ୟାଳୟ l ଏହି ଜିଲ୍ଲାରେ ପ୍ରାୟ ୧୫ ଦିନ ହେଲାଣି ଲାଗିରହିଛି ବର୍ଷା । ବର୍ଷା ଫଳରେ ଉକ୍ତ ବିଦ୍ୟାଳୟର ଶ୍ରେଣୀ ଗୃହ ଏବଂ ଅଫିସ୍ ଗୃହ ଛାତରୁ ପାଣି ଝରିବା ସହ କାନ୍ଥ ଗୁଡିକ ଫାଟି ଆଁ ହେଲାଣି l କେତେବେଳେ ଯେ ଅଘଟଣ ଘଟିବ ତାହା ଜଣାନାହିଁ । ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ଡରି ଡରି ପାଠ ପଢ଼ାଉ ଥିବା ବେଳେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଏଭଳି ଅବସ୍ଥା ଜାଣିଲା ପରେ ପିଲାଙ୍କୁ ବିଦ୍ୟାଲୟକୁ ଛାଡ଼ିବା ପାଇଁ ଭୟ କରୁଛନ୍ତି । ଗତକାଲି ହଠାତ ସ୍କୁଲ୍ ଖୋଲିବା ସମୟରେ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ତାଲା ପକାଇଥିଲେ ଗ୍ରାମବାସୀ ଓ ଅଭିଭାବକ । ସ୍କୁଲର ଶ୍ରେଣୀଗୃହ ଓ ଅଫିସ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଛାତରୁ ପାଣି ଝରିବା ସହ କାନ୍ଥ ଗୁଡିକ ଫାଟି ଆଁ କରିଛି । ତେବେ ଏସମ୍ପର୍କରେ ଅଭିଭାବକମାନେ ଜାଣିବା ପରେ ଗତକାଲି ସ୍କୁଲ୍ ପରିଦର୍ଶନ କରିବା ସହ ଏହାକୁ ନେଇ ଏକ ବୈଠକ କରିଥିଲେ । ଆଜି ହଠାତ୍ ଅଭିଭାବକମାନେ ଯାଇ ସ୍କୁଲର ମୁଖ୍ୟ ଦ୍ଵାରରେ ତାଲା ପକାଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସ୍କୁଲ୍ ଭିତରକୁ ପଶିବାକୁ ଦେଇନଥିଲେ । ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ ସ୍ଥାନୀୟ ସରପଞ୍ଚ ଓ ସି.ଆର୍.ସି.ସିଙ୍କୁ ଜଣାଇଥିଲେ । ଉକ୍ତ ସ୍କୁଲକୁ ସି ଆର୍ ସି ସି ଶ୍ରୀକାନ୍ତ ପଟେଲ, ଏ ବି ଇ ଓ – ଜେନାମଣି ନାଏକ ଏବଂ ସରପଞ୍ଚ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ନିଜ ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇ ଥିଲେ । ଘଟଣା ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ କାନକୁ ଗଲା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ W E Oଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ । WEO ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅଭିଯୋଗ ଶୁଣିଲା ପରେ ଅଭିଭାବକ ଓ ଗ୍ରାମବାସୀଙ୍କୁ ବୁଝାଶୁଝା କରି ସ୍କୁଲ୍ ଛାତ୍ରଛାତ୍ରୀ ପଢ଼ିବା ପାଇଁ ଶ୍ରେଣୀଗୃହର ବିକଳ୍ପ ବ୍ୟବସ୍ଥା କରାଇବା ପରେ ଲୋକେ ଧାରଣାରୁ ଉଠି ସ୍କୁଲ୍ ଛାତ୍ରଛାତ୍ରୀ ସ୍କୁଲ୍ ପରିସରକୁ ପଶିବାକୁ ଦେଇଥିଲେ । ଅନ୍ୟପଟେ ସ୍କୁଲ୍ ଗୃହ ଗୁଡିକ ଦୁର୍ବଳ ହୋଇଥିବାରୁ ନୂତନ ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।