ନୂଆପଡା ଜିଲ୍ଲାରେ ଅଣଧାନ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ବୁଲିଲା ସଚେତନତା ରଥ….

ନୂଆପଡା(ବିରବଲ ପ୍ରଧାନ),: ନୂଆପଡ଼ା ଜିଲ୍ଲାରେ କୃଷି ଓ କୃଷକମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ବୃହତ ଜଳସେଚନ ପ୍ରକଳ୍ପ ଅଂଚଳରେ ଅଣଧାନ ଚାଷକୁ କୃଷି ବିଭାଗ ତରଫରୁ ବହୁ ଗୁରୁତ୍ୱ ପ୍ରଦାନ କରାଯାଉଛି l ଫସଲ ବିବିଧିକରଣ ଯୋଜନା ମାଧ୍ୟମରେ ଚାଷିମାନଙ୍କ ତାଲିମ, ଶିକ୍ଷା ଓ ଯୋଗାଯୋଗ ଦ୍ୱାରା ପ୍ରୋତ୍ସାହନ ଓ ଦକ୍ଷତା ବୃଦ୍ଧି ନିମନ୍ତେ ନୂଆପଡା ଜିଲ୍ଲାରେ ଏହାର ପ୍ରଚାର ପ୍ରସାର ନିମନ୍ତେ ବୁଲିବ ଫସଲ ବିବିଧକରଣ ରଥ l ଆଜି ଦିନ ୧୦ଟା ୩୦ ଘ ସମୟରେ ଏହିଭଳି ଦୁଇଟି କୃଷିରଥକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି l ଏହି ଅବସରରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ l ସୂଚନା ଯୋଗ୍ୟ ଯେ ଏହି ଖରିଫ ଋତୁରେ ଜିଲ୍ଳାର ବୃହତ ଜଳସେଚନ ପ୍ରକଳ୍ପ ଅଂଚଳର ଚାରୋଟି କ୍ଲଷ୍ଟରରେ ୬୦୦ ହେକ୍ଟର ଜମିରେ ତୈଳବିଜ, ମିଲେଟ, ପନିପରିବା, ଡାଲିଜାତୀୟ ଫସଲ, କପା ଭଳି ଅଣଧାନ ଚାଷ କରାଇବା ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି l କାର୍ଯ୍ୟକ୍ରମର ପ୍ରଥମ ବର୍ଷରେ 8903 ଜଣ କୃଷକଙ୍କ 5090 ହେକ୍ଟର ଜମିରେ ଅଣଧାନ ଚାଷ ପାଇଁ 5 କୋଟି 21 ଲକ୍ଷ 23 ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଇଛି l ଏହିଭଳି ଜନ ସଚେତନତା ରଥ ମାଧ୍ୟମରେ କୃଷକମାନଙ୍କ ମନରେ ଅର୍ଥକାରୀ ଅଣଧାନ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଜିଲ୍ଲପାଳ କୃଷି ବିଭାଗର ଅଧିକାରୀ ତଥା କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି l କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ନୂଆପଡା କ୍ଲଷ୍ଟରରେ ଆର ସି ଡି ସି, କୋମନାରେ ସିପିଏସଡବ୍ଲୁ, ବୋଡେ଼ନରେ ପଲ୍ଲୀବିକାଶ, ସିନାପାଲିରେ ଲୋକଦୃଷ୍ଟି ସଂସ୍ଥାକୁ ଦାୟିତ୍ୱ ଦିଆହୋଇଛି l ଏହାର ଅଧିକାରୀମାନଙ୍କ ସହ ଆଜିକାର ଏହି କାର୍ଯ୍ୟକ୍ରମରେ ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସତ୍ୟଭୂଷଣ ନାଗ ବ୍ଲକ କୃଷି ଅଧିକାରୀ ନୂଆପଡା, ସହାୟକ କୃଷି ଅଧିକାରୀ ଆଶିଷ ମେହେର, ଆଭାସ ନାଏକ, ବର୍ଷା ଆଜାଦ, ସ୍କିମ ଅଫିସର ଦୀପଶ୍ରୀ ମଣ୍ଡଳ, ଡି ଏଲ ଏମ ସୌମ୍ୟ ରଞ୍ଜନ ପଣ୍ଡା, କୃଷି ବିଭାଗର ଓଭରସିର ଗଣ, ଗ୍ରାମ୍ୟ କୃଷି କର୍ମଚାରୀ ଗଣ ଉପସ୍ଥିତ ଥିଲେ l