ନୂଆପଡା ଜିଲ୍ଲାରେ ରାଜନୈତିକ ଦଳଙ୍କୁ ନେଇ ସଚେତନତା ବୈଠକ ଅନୁଷ୍ଠିତ…

ନୂଆପଡା( ବିରବଲ ପ୍ରଧାନ): ଜିଲ୍ଲାରେ ତ୍ରୁଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟସୂଚୀ ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ନୂଆପଡା ଜିଲ୍ଲାପାଳ ତଥା ଜିଲ୍ଳା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ଯକ୍ଷତାରେ ଜିଲ୍ଳା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଉପଜିଲ୍ଲାପାଳ ଯୋଗୀନ୍ଦ୍ର ମାଝୀ, ଡେପୁଟି କଲେକ୍ଟର ନିର୍ବାଚନ ଶେଖ ନସୀମ ପ୍ରମୁଖ ଯୋଗଦେଇଥିଲେ l ଭୋଟର ତାଲିକା ସଂଶୋଧନର କାର୍ଯ୍ୟସୂଚୀ, ପ୍ରଣାଳୀ, ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଦାୟିତ୍ୱ, ବୁଥ ଲେବେଲ ଅଫିସର, ବୁଥ ଏଜେଣ୍ଟ, କର୍ମୀ ମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ସମ୍ବନ୍ଧରେ ଏଠାରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟ ପାଇଁ ବୁଥ ଲେବେଲ ଅଫିସରମାନେ ୨୦ ଅଗଷ୍ଟ ରୁ ୧୮ ଅକ୍ଟୋବର ମଧ୍ୟରେ ଘରକୁ ଘର ଯାଇ ଭୋଟର ତାଲିକାରେ ଆବଶ୍ୟକ ସଂଶୋଧନ କରିବେ l ନୂତନ ଭୋଟର ଯୋଗଦାନ, ମୃତ୍ୟୁ, ଅନୁପସ୍ଥିତି, ବିବାହ ଜନିତ ବଦଳ , ସଠିକ ଫୋଟୋ, ଠିକଣା ଇତ୍ୟାଦି ସଂଶୋଧନ କରି ୧/୧/୨୦୨୫ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯିବ l ୬/୧/୨୦୨୫ ଦିନ ସଂଶୋଧିତ ଚୂଡାନ୍ତ ତାଲିକା ପ୍ରକାଶିତ ହେବ l ନୂତନ ଭୋଟର ମାନଙ୍କ ପାଇଁ ଏହି ତାଲିକାରେ ଯୋଗଦାନ ସୁଯୋଗ ବର୍ଷକୁ ଚାରିଥର 1ଜାନୁଆରୀ, 1ଏପ୍ରିଲ, 1 ଜୁଲାଇ ଓ 1 ଅକ୍ଟୋବରରେ ପ୍ରଦାନ କରାଯିବ l ଏହି ଅବସରରେ ଜିଲ୍ଲାପାଳ କହିଲେ ଯେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ନିର୍ଭୁଲ ଭୋଟର ତାଲିକା ଅତ୍ୟନ୍ତ ଜରୁରୀ ଅଟେ l ଏଥିପାଇଁ ସେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ହାର୍ଦ୍ଦିକ ସହଯୋଗ କାମନା କରିଥିଲେ l ଆଜିକାର ଏହି ବୈଠକରେ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ରୂପେ ବିଜେପିରୁ କମଳେଶ କୁମାର ଦୀକ୍ଷିତ, ବିଜେଡିରୁ ସ୍ୱାଗତ ଯୋଶୀ, ଆଇ ଏନ ସି ରୁ ଦେବଦତ୍ତ ଦୀକ୍ଷିତ, ଆପରୁ ଲକ୍ଷ୍ମୀକାନ୍ତ ତାଣ୍ଡି, ବି ଏସ ପି ରୁ ସୁଖଧର ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ l