ମୁଜାଗଡ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ…

ଭଞ୍ଜନଗର(ନିଲୁ ବିଷୋୟୀ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ମୁଜାଗଡ ପଞ୍ଚାୟତର ବିଜେଡି ସମର୍ଥିତ ମହିଳା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପଞ୍ଚାୟତର ୧୧ ଓ୍ବାର୍ଡ ସଭ୍ୟ, ସଭ୍ୟା ପ୍ରସ୍ତାବ ପତ୍ର ପ୍ରଦାନ କରିଛନ୍ତି । ମୁଜାଗଡ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍ କରାଇ ଅର୍ଥ ତୋଷାରପାତ ହୋଇଥିବା ପଞ୍ଚାୟତ ବାସିନ୍ଦା ଅଭିଯୋଗ ଆଣିଛନ୍ତି । ସେହି ପରି ବିନା ପଲ୍ଲୀସଭା କିମ୍ବା ରେଜୁଲେସନରେ ବିଭିନ୍ନ ବିଲ ଆଗତ କରାଯାଉଥିବା ବେଳେ ପଞ୍ଚାୟତର ସମସ୍ତ କାର୍ଯ୍ୟରେ ସରପଞ୍ଚଙ୍କ ସ୍ବାମୀ ହସ୍ତକ୍ଷେପ କରୁଥିବା ଓ୍ବାର୍ଡ ସଭ୍ୟମାନେ ଅଭିଯୋଗ କରିଛନ୍ତି । ତେଣୁ ମୁଜାଗଡ ପଞ୍ଚାୟତର ନାଏବ୍ ସରପଞ୍ଚ ଶୁସାନ୍ତ ନାଇକଙ୍କ ସମେତ ୧୧ ସଭ୍ୟ ସଭ୍ୟା ସରପଞ୍ଚଙ୍କ ବିରୋଧରେ ଶୁକ୍ରବାର ଅନାସ୍ଥାପ୍ରସ୍ତାବ ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ପ୍ରଦାନ କରିଛନ୍ତି । ଉପଜିଲ୍ଲାପାଳଙ୍କୁ ଅନାସ୍ଥାପ୍ରସ୍ତାବ ପ୍ରଦାନ ସମୟରେ ମୁଜାଗଡ ପଞ୍ଚାୟତର ୧୧ ଓ୍ବାର୍ଡ ସଭ୍ୟସଭ୍ୟାଙ୍କ ସମେତ ପୁର୍ବତନ ସରପଞ୍ଚ ଶିବଶଙ୍କର ପ୍ରଧାନ ଉପସ୍ଥିତ ଥିଲେ । ଉପଖଣ୍ଡ ଅଧିନ ବେଲଗୁଣ୍ଠା ବ୍ଲକର ଆମ୍ବପୁଆ ଓ ପାଇଲିପଡା ପଞ୍ଚାୟତ ପରେ ଭଞ୍ଜନଗର ବ୍ଲକର ମୁଜାଗଡ ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥାପ୍ରସ୍ତାବ ଆସିବା ପରେ ବିଜେଡି ନେତାଙ୍କ ଚିନ୍ତା ବଢିଯାଇଛି।