ନୂଆପଡା( ବିରବଲ ପ୍ରଧାନ): ଓଡିଶାର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ଆନୁକୁଲ୍ୟରେ ଏବଂ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନଙ୍କ ସହାୟତାରେ ଅନୁଷ୍ଠାନର ବିଲେନଜୋର ସ୍ଥିତ ତାଲିମ କେନ୍ଦ୍ର ପରିସରରେ ଏକ ତ୍ରିଦିବସୀୟ ଆବାସିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ତା ୨୦.୦୮.୨୦୨୪ ଠାରୁ ୨୨.୦୮.୨୦୨୪ ପର୍ଯ୍ୟନ୍ତ ତିନିଦିନ ଧରି ଜେଣ୍ଡର ବା ଲିଙ୍ଗଭିତ୍ତିକ ଭେଦଭାବ ତାଲିମ ଅନୁଷ୍ଠିତ ହୋଇଥିଲା l ଏହି ତାଲିମ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମହିଳାମାନେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାଞ୍ଚଟି ଗାଁ ଲରକି, ଶୁକଳିମୁଣ୍ଡି, ଦାନୋଝୋଲା, ସେମେଲପାଲି ଓ କଣ୍ଟାପାଲିର ମହିଳା ଚାଷୀ ମାନେ ଯୋଗଦାନ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ତାଲିମଦାତା ଭାବରେ ଶ୍ରୀଯୁକ୍ତ ଗୌରଚନ୍ଦ୍ର ରାଜପଲିଆ ତାଲିମ ଦେଇଥିଲେ । ତାଲିମଦାତା ତାଲିମ ଗ୍ରହୀତାମାନଙ୍କ ମନକୁ ଛୁଇଲା ଭଳି ବିଭିନ୍ନ ତାଲିମ ଉପକରଣ, ପ୍ଲେ କାର୍ଡ, ଚାର୍ଟ ଓ ଭିଡିଓ ଗ୍ରାଫି ଇତ୍ୟାଦିର ବ୍ୟବହାର କରି ବିଭିନ୍ନ ଖେଳ ଓ ଆଲୋଚନା ମାଧ୍ୟମରେ ଅତି ପ୍ରଭାବଶାଳୀ ଢଙ୍ଗରେ ତିନି ଦିନର ତାଲିମ କାର୍ଯ୍ୟ ସମ୍ପାଦନ କରିଥିଲେ । ଏ.ଏଚ.ଓ କୋମନା ଆରାଧନା ଶବର ମଧ୍ୟ ତାଲିମରେ ଯୋଗଦାନ କରି ତାଲିମଗ୍ରହୀତାମାନଙ୍କୁ ଲିଙ୍ଗଭିତ୍ତିକ ଭେଦଭାବ ଉପରେ ବୁଝେଇ ଥିଲେ l ଏହି ତାଲିମ କାର୍ଯ୍ୟକ୍ରମକୁ ମୋନାଲିସା ମହାନନ୍ଦ ପରିଚାଳନା କରିଥିବା ବେଳେ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l