ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ସଫଳ ହୋଇଛି । କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ବିଭିନ୍ନ ସରକାରୀ ନିଯୁକ୍ତି ଓ ଶିକ୍ଷାନୁଷ୍ଠାନମାନଙ୍କରେ ସଂରକ୍ଷଣ ବନ୍ଦ ଷଡ଼ଯନ୍ତ୍ର ବିରୁଦ୍ଧରେ ଗଜପତି ଜିଲ୍ଲାର ବିଭିନ୍ନ ଆଦିବାସୀ ତଥା ଦଳିତ ସଂଗଠନ ପକ୍ଷରୁ ଏହି ଭାରତ ବନ୍ଦ ଡାକରାରେ ବିଭିନ୍ନ ନେତାମାନେ ଯୋଗ ଦେଇଥିଲେ । ଗୁମ୍ମା ବ୍ଲକ ଆଦିବାସୀ ମହାସଂଘ ପକ୍ଷରୁ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳଙ୍କ ନେତୃତ୍ୱରେ ଇ.ବି ଜନ୍ କାଲଭିନ ମଣ୍ଡଳ, ମସୁଳନ ରଇତ, ଆବିଦ ନାୟକ, ଇଲିଶାୟ ନାଇକା, ସାରସୁ ରଇତ, ପ୍ରଣତୀ ରଇତ, ଗୀତା ଦଳବେହେରା, ଯୁନିତା ଗମାଙ୍ଗ ପ୍ରମୁଖ ବିଭିନ୍ନ ସ୍ଥାନରେ ଲୋକଙ୍କୁ ବୁଝାଇ ଶାନ୍ତି ପୂର୍ଣ୍ଣ ଭାବେ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ସହଯୋଗ ଲୋଡିଥିଲେ । ଗୁମ୍ମା ବ୍ଲକର ପ୍ରାୟ ସମସ୍ତ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ବ୍ୟବସାୟ ପ୍ରତିଷ୍ଠାନ, ସ୍ୱାସ୍ଥ୍ୟ କେନ୍ଦ୍ର, ଔଷଧ ଦୋକାନକୁ ଛାଡ଼ି ସମସ୍ତ ଦୋକାନର ଦୋକାନୀ ଭାଇ ମାନେ ସ୍ଵତଃ ପ୍ରବୃତ୍ତ ଭାବରେ ବନ୍ଦ କରି ଭାରତ ବନ୍ଦକୁ ସହଯୋଗ କରିଥିଲେ। ଆମ୍ବୁଲାନ୍ସକୁ ଛାଡ଼ି ଆଉ ଅନ୍ୟ କୌଣସି ଗାଡ଼ି ମଟର ଚଳାଚଳ ମଧ୍ୟ ବନ୍ଦ ଥିବା ଦେଖାଯାଇଥିଲା ।