ଗୁଣ୍ଡୁରିବାଡିରେ ବ୍ୟାପୁଛି ଝାଡାବାନ୍ତି: ଦୁଇ ମୃତ,ଏକାଧିକ ଆକ୍ରାନ୍ତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଗୁଣ୍ଡୁରିବାଡି ଗ୍ରାମରେ ଝାଡାବାନ୍ତିରେ କିଛି ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ଗ୍ରାମର ଜଣେ ବ୍ୟକ୍ତି ଶନିବାର ସକାଳ ସମୟରେ ଝାଡାବାନ୍ତିରେ ମୃତ୍ୟୁ ବରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣା ଜଣାପଡିବା ପରେ ସ୍ବାସ୍ଥ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଗ୍ରାମକୁ ଗାଲେରୀ ମେଡିକାଲର ଏକ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମକୁ ବିଶୋଧନ କରିବା ସହ କୂଅ ଗୁଡିକରେ ବ୍ଳିଚିଂ ପକାଇ ବିଶୋଧନ କରିଛନ୍ତି । ଗ୍ରାମରେ କିଛି ଦିନ ଧରି ଲୋକ ମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ ଆଣିଥିବା ବେଳେ ଗତକାଲି ଗ୍ରାମର ଅରକ୍ଷିତ ଗୌଡ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶନିବାର ସକାଳ ସମୟରେ ତାଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଗ୍ରାମର ଟୁନି ପ୍ରଧାନ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଆଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡିଛି । ଏଥିସହ ଗ୍ରାମର ସନ୍ତୋଷିନୀ ପ୍ରଧାନ, ପ୍ରାଚୀ ମାଝୀ, ଶ୍ରୀୟା ସାହୁ, ଭାଗ୍ୟ ନାୟକ, ଡାକ ନାୟକ ମଧ୍ୟ ଆକ୍ରାନ୍ତ ହୋଇଥିବା ବେଳେ ଘରେ ଚିକିତ୍ସା କରୁଥିବା ଜଣାପଡିଛି । ସରପଞ୍ଚ ଚିରଞ୍ଜିବି ପ୍ରଧାନଙ୍କ ଉପସ୍ଥିତିରେ ମେଡିକାଲ୍ ଟିମ ଲୋକମାନଙ୍କ ସହ ଆଲୋଚନା କରିବା ସହ ଆକ୍ରାନ୍ତଙ୍କ ସଂଶ୍ପର୍ଶରେ ଆସିଥିବା ଲୋକ ମାନଙ୍କୁ ଆବଶ୍ୟକୀୟ ଔଷଧ ଓଆରଏସ୍ ଦେବା ସହ ସଚେତନ ରହିବାକୁ ପରାମର୍ଶ ଦେଇଥିବା ଡା.ସନାତନ ବେହେରା ପ୍ରକାଶ କରିଛନ୍ତି । ଆଜି ମୃତ୍ୟୁ ହୋଇଥିବା ଅରକ୍ଷିତ ଝାଡାବାନ୍ତି ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କର ପରୀକ୍ଷା ରିପୋର୍ଟରେ ନିମୋନିଆ ବାହାରିଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଆଉ ଜଣଙ୍କ ଏଭଳି ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ।