କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଓ ବରାଡ଼ଙ୍ଗା ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ରହିଛି ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମ । ଜାତୀୟ ରାଜପଥ ୨୬ ଆମପାଣି ଘାଟି ଦେଇ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି ଆମପାଣି ପଞ୍ଚାୟତର ଟିର୍ଲିଆମ ଓ ବରାଡ଼ଙ୍ଗା ପଞ୍ଚାୟତର ଗାଈବନ୍ଧା, ସାଇକେଲ ବରଗଛ ଭଳି ଆଦିବାସୀ ଜନଜାତି ବସବାସ କରୁଥିବା ବଣ ପାହାଡ଼ ଘେରା ଗାଁ । ତେବେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଗାଁ ଗୁଡିକୁ ପକ୍କା ରାସ୍ତା ନାହିଁ, ଜଙ୍ଗଲ ରାସ୍ତା ଦେଇ ମାଟିର ଆବୁଡା ଖାବୁଡା ରାସ୍ତା ରହିଛି । ବର୍ଷର ଖରା, ଶୀତ ଓ ଅନ୍ୟ ଦିନରେ ଯେ କୌଣସି ପ୍ରକାରେ ବନବାସୀ ମାନେ ଜଙ୍ଗଲ ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ବର୍ଷା ଦିନ ଆସିଲେ ଏହି ବନବାସୀମାନଙ୍କୁ ରାସ୍ତାରେ ଯାତାୟାତ ପାଇଁ ଯମ ଯନ୍ତ୍ରଣା ଭୋଗିବାକୁ ପଡୁଛି । ଯେ କୌଣସି ନିତିଦିନିଆ କାମ ହେଉ ଅବା ପଂଚାୟତକୁ ପିଡ଼ିଏସ ସାମଗ୍ରୀ ହେଉ, ଦୋକାନ ବଜାର, ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଆମପାଣି କିମ୍ବା କୋକସରା ବ୍ଲକକୁ ଏହି ଗ୍ରାମବାସୀଙ୍କୁ ନିତି ଆସିବାକୁ ପଡୁଥିବା ବେଳେ ବର୍ଷା ଦିନରେ ବାଟରେ ପଡୁଥିବା ନାଳରେ ବର୍ଷା ଜଳ ପ୍ରବାହିତ ହେଉଥିବା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବ୍ଲକ ପ୍ରଶାସନ ପକ୍ଷରୁ ଗତ ୨୦୨୩ ବର୍ଷରେ ଏହି ନାଳ ଉପରେ ଏକ ପୋଲ ନିର୍ମାଣ ୫ ଲକ୍ଷ ବିଭାଗୀୟ ଅନୁଦାନରେ କରାଯାଇଛି । ତେବେ ସ୍ଥାନୀୟ ଠିକାଦାର ଜଣକ ପୋଲ ଉପରେ କଂକ୍ରିଟ କାମ ନକରି ମେଟାଲ, ମୁରୁମ କାମ ସାରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଚଳିତ ବର୍ଷ ପ୍ରଥମ ବନ୍ୟାଜଳରେ ପୋଲ ଉପର ରାସ୍ତା ଧୋଇ ଯାଇଛି ଓ ଏହି ନାଳ ଚିରସ୍ରୋତା ହୋଇଥିବା ବେଳେ ନାଳ ଉପରେ ବର୍ଷ ତମାମ ପାଣି ପ୍ରବାହିତ ହେଉଥିବା କାରଣରୁ ଯାତାୟାତ କରିବାରେ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ୩ ଖଣ୍ଡ ଗ୍ରାମର ଜନ ସାଧାରଣ । ଏନେଇ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀଙ୍କ ପ୍ରତିକ୍ରିୟା ନେବାରୁ ଆସନ୍ତା ଏକ୍ସନ ପ୍ଲାନରେ ଏହି ପୋଲ ରାସ୍ତା ନିର୍ମାଣ ପାଇଁ ଅନୁଦାନର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ।