ସାଞ୍ଜାସୋରୁ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ, ହିଲଭିୟୁ ପର୍ଯ୍ୟଟନ ସ୍ଥଳୀ ସମେତ ଅନେକ ସ୍ଥାନ ହେବ ବିକାଶ…

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସାଞ୍ଜାସୋରୁ ଉନ୍ନୟନ କମିଟି ବୈଠକ ଗୁରୁବାର ଦିନ ସ୍ଥାନୀୟ ସମିତି ସଭା ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବାଲିଗୁଡ଼ା ଉପଜିଲ୍ଲାପାଳ ରିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡିଓ ଗଦାଧର ପାତ୍ର, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ, ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ, ପ୍ଲିହେରୀ ସରପଞ୍ଚ ପାଉଲ ପ୍ରଧାନ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ବଣିକ ସଂଘ ସଭାପତି ଲଡ଼ୁ କିଶୋର ସାହୁ , ଦିଲ୍ଲୀପ ସାହୁ, ହୋଟେଲ ଆସୋସିଏସନ୍ ସଭାପତି ଗିରିଶ ସାହୁ, ବ୍ଳକ ମଙ୍ଗଳ ଅଧିକାରୀ ବିଶ୍ୱଜିତ୍ ଜାଲି, ବରିଷ୍ଠ ନାଗରିକ ସଂଗଠନ ସଦସ୍ୟ, ରାଜସ୍ବ ନୀରିକ୍ଷକ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ସହ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଅନୁଷ୍ଠିତ ସାଞ୍ଜାସୋରୁ ଉନ୍ନୟନ କମିଟି ବୈଠକରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପର୍ଯଟନ କ୍ଷେତ୍ରର ବିକାଶ ଦିଗରେ ଆଲୋଚନା କରାଯାଇ ଥିଲା । ମୁଖ୍ୟ କରି ହିଲଭିୟୁ ପର୍ଯ୍ୟଟନ ସ୍ଥଳୀର ପରିଚାଳନା ଓ ଆନୁଷଙ୍ଗିକ ବ୍ୟବସ୍ଥାର ପୁନଃ ଉଦ୍ଧାର କରିବା ସମ୍ପର୍କ ତଥା ଟୟ ଟ୍ରେନ୍ ଚାଲୁ କରିବା, କର୍ମଚାରୀଙ୍କ ଦରମା ବୃଦ୍ଧି ବିଷୟ ନେଇ ଆଲୋଚନା କରି ନିଷ୍ପତି ନିଆଯାଇଥିଲା । ଏହା ସହିତ ଦାରିଙ୍ଗବାଡ଼ିର ଅନ୍ୟ ପର୍ଯ୍ୟଟନ ସ୍ଥଳୀ ବିକାଶ ଓ ପରିଚାଳନା, ଦାରିଙ୍ଗବାଡ଼ି ବଜାର ମଧ୍ୟରେ ଯାଇଥିବା ୫୯ନଂ ଜାତୀୟ ରାଜପଥ ଦୁଇ ପାର୍ଶରେ ଜବର ଦଖଲ କରି ବସୁଥିବା ଉଠା ଦୋକାନକୁ ଉଠାଇ ପଞ୍ଚାୟତ ବଜାର ଗୃହ ଅଞ୍ଚଳରେ ଥଇଥାନ କରିବା ସହ ହୋଟେଲ, ମାର୍କେଟ ଓ ମାଛ, ଚିକେନର ଆବର୍ଜନାକୁ ଠିକ୍ ଭାବରେ ପରିଚାଳନା କରି ସୁସ୍ଥ ପରିବେଶ କରିବା ପାଇଁ ଆଲୋଚନାରେ ନିଷ୍ପତି ନିଆଯାଇଥିଲା । ଏଥିପାଇଁ ପୁଲିସ୍, ବ୍ଳକ ଓ ତହସିଲ ପ୍ରଶାସନଙ୍କ ନେତୃତ୍ୱରେ ଜନପ୍ରତିନିଧିଙ୍କ ସହଯୋଗରେ ଏହାର ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି ।