କାଳ ବୈଶାଖୀ ପ୍ରଭାବରେ ବର୍ଷା ପବନ, ଗଛପଡି ସାତ ଗାଈଗୋରୁ ମୃତ…

ଭଞ୍ଜନଗର(ନିଲୁ ବିଷୋୟୀ): କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ଅପରାହ୍ନରେ ବର୍ଷା ପବନ ହେବା ସହ ବ୍ରଜପାତ ଘଟିଛି। ଦିନ ତମାମ ଗରମ ଅନୁଭୂତ ହେବା ସହ ଗୁଳୁଗୁଳି ଜନ ଜୀବନ ଅସ୍ତବ୍ୟସ୍ତ କରି ଦେଇଥିଲା। ପରେ ଅପରାହ୍ନରେ  ପାଗରେ ପରିବର୍ତ୍ତନ ଘଟି ପ୍ରବଳ ପବନ ବୋହିବା ସହ ବର୍ଷା ହୋଇଥିଲା। ବିଶେଷ କରି ଗଞ୍ଜାମ – କନ୍ଧମାଳ  ସୀମାନ୍ତ ଇଲାକାରେ ପବନ ବୋହିବା ସହ ଗଛ ଡାଳ ଭାଙ୍ଗି ପଡିଥିଲା। ପ୍ରବଳବେଗ ରେ  ପବନ ଯୋଗୁଁ କିଛି ସମୟ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇଥିଲା। ଏଥିରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଇନ୍ଦ୍ରଗଡ଼ ପଞ୍ଚାୟତର ଲଣ୍ଡାବାଲି ଗ୍ରାମରେ ସାତଟି ଗାଈ ଓ ବଳଦର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗ୍ରାମର କୋରା ନାୟକ, ସୁରେନ୍ଦ୍ର ପାତ୍ର, ସୁକୁରୁ ନାୟକ ଗୋଟିଏ ଲେଖାଏଁ ଗାଈ ଓ କୈଳାସ ମୁଳି, ବିଜୟ ସେଠୀ, ସୁରେନ୍ଦ୍ର ନାୟକ, ଭଗବାନ ପାତ୍ର ଗୋଟିଏ ଲେଖାଏଁ ବଳଦର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁଞ୍ଜୟ ପାଢ଼ୀର ଗୋଟିଏ ବାଛୁରୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ଅପରାହ୍ନ ସମୟରେ ଖୋଲା ପଡ଼ିଆରେ ଗାଈଗୋରୁ ଚରୁଥିଲେ। ଏହି ସମୟରେ ବର୍ଷା ପବନ ଆସିବା ସହ ବଜ୍ରପାତ ଘଟିଥିଲା। ଗାଈଗୋରୁମାନେ ଏକ ତେନ୍ତୁଳି ଗଛ ମୂଳେ ଆଶ୍ରୟ ନେଇଥିଲେ। ସେହି ସମୟରେ ଗଛ ଟି ଉପୁଡି ପଡିଯିବାରୁ ଗାଈ ଓ ବଳଦ ମାନଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ପହଞ୍ଚି ଗଛ କାଟି ଗାଈଗୋରୁ ବାହାର କରିଥିଲେ।