ସାଧାରଣ ନିର୍ବାଚନ ପାଇଁ ବାଲଟ୍ ଭୋଟିଂ ପ୍ରକ୍ରିୟା ଆରମ୍ଭ….

ଭଞ୍ଜନଗର(ନିଲୁ ବିଷୋୟୀ): ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଓ ଏହା ଅଧିନ ସମସ୍ତ ବିଧାନସଭା ଏବଂ କନ୍ଧମାଳ ଲୋକସଭାର ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିଶନରଙ୍କ ନିୟମ ଅନୁଯାୟୀ, ନିର୍ବାଚନ ପରିଚାଳନାରେ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପୋଷ୍ଟାଲ ବାଲଟ୍ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଭଞ୍ଜନଗରର ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏନେଇ ଫେସିଲେସନ ସେଣ୍ଟର କରାଯାଇଥିବା ବେଳେ ଏହା ଗତ ୧୫ ତାରିଖରୁ ଆରମ୍ଭ ହୋଇ ବେଳେ ୧୭ ତାରିଖରେ ଶେଷ ହେବ । କେହି ଯେମିତି ଭୋଟଦାନ କରିବା ଅଧିକାରରୁ ବାଦ ପଡିବେ ନାହିଁ ସେମାନଙ୍କ ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଜିଲ୍ଲାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ନିୟୋଜିତ ଥିବା ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀ ଯଥା ପୋଲିସ୍,ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀ, ଦୂର ସଞ୍ଚାର ବିଭାଗୀୟ କର୍ମଚାରୀ ମାନଙ୍କ ମଧ୍ୟରୁ ଯେଉଁମାନେ ଆବଶ୍ୟକ ଫର୍ମରେ ଦରଖାସ୍ତ କରିଥିଲେ ସେମାନେ ନିର୍ଦ୍ଧାରିତ ସ୍ଥାନ ଓ ଦିନରେ ପୋଷ୍ଟାଲ ବାଲଟରେ ଭୋଟ ଦେବା ନେଇ ବ୍ୟବସ୍ଥା କରାଯାଇଛି। ସୂଚନା ଅନୁଯାୟୀ, ଚଳିତ ନିର୍ବାଚନ ପାଇଁ ଭଞ୍ଜନଗର ଉପଖଣ୍ଡ ଅଧୀନରେ ଆସୁଥିବା ୩ଟି ନିର୍ବାଚନ ମଣ୍ଡଳୀ ପାଇଁ ପୁଲିସ ଓ ପୋଲିଂ କର୍ମଚାରୀ ୨ହଜାର ଜଣ ପୋଷ୍ଟାଲ ଭୋଟ ଦେବା ପାଇଁ ଆବେଦନ କରିଥିବା ବେଳେ ଭଞ୍ଜନଗର ପାଇଁ ୫୮୬ ଜଣ,ଆସିକା ୬୬୯ ଜଣ ଓ ସୋରଡ଼ା ପାଇଁ ୭୪୫ ଜଣ ଆବେଦନ କରିଥିବା ଜଣାପଡିଛି । ସେହିପରି କୌଣସି ମତଦାତା ମତ ସାବ୍ୟସ୍ଥ ଅଧିକାରରୁ ବଞ୍ଚିତ ହେବେନାହିଁ,ସେଥି ନିମନ୍ତେ ୮୫ ବର୍ଷ ବା ତଦୁର୍ଦ୍ଧ୍ବ ବୟସର ମତଦାତା ଓ ଭିନ୍ନକ୍ଷମଙ୍କ ସକାଶେ ହୋମ୍ ଭୋଟ ବ୍ୟବସ୍ଥା କରାଯାଇଛି। ଯେଉଁ ମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି ନିଜ ଘରେ ଭୋଟ ଦେବା ନିମନ୍ତେ ଆଦେଦନ କରିଥିଲେ। ସେମାନଙ୍କ ଘରକୁ ଯାଇ ନିର୍ବାଚନା ଟିମ ଭୋଟ ସଂଗ୍ରହ କରୁଛନ୍ତି। ଏହି ଟିମ୍ରେ ମାଇକ୍ରୋ ପର୍ଯ୍ୟବେକ୍ଷକ, ପୁଲିଂ ଅଧିକାରୀ, ପୁଲିସ ଓ ଭିଡିଓଗ୍ରାଫି ଟିମ୍ ସହ ଘରକୁ ଯାଇ ଭୋଟ ସଂଗ୍ରହ କରିବା ବ୍ୟବସ୍ଥା ହୋଇଛି । ଏଥିରେ ତିନୋଟି ନିର୍ବାଚନ ମଣ୍ଡଳୀରୁ ୧୮୨ ଜଣ ହୋମ୍ ଭୋଟ ପାଇଁ ଆବେଦନ କରିଥିବା ଜଣାପଡିଛି । ଏଥିସହ ବାହାରେ ଚାକିରୀ କରୁଥିବା ୧୩୭୭ ଜଣ ପୋଷ୍ଟାଲ ଭୋଟ ଦେବାକୁ ଆବେଦନ କରିଥିବା ଜଣାପଡିଛି ।