ଭଞ୍ଜନଗର ବିଧାନସଭା କ୍ଷେତ୍ରରେ ଦୁଇ ଅଭିଜ୍ଞ ନେତାଙ୍କୁ ଟକ୍କର ଦେବେ ନବାଗତ…

ବିକ୍ରମ, ପ୍ରଦ୍ୟୁମ୍ନ , ପ୍ରଶାନ୍ତଙ୍କ ମଧ୍ୟରେ ହେବ ଲଢେଇ

ଭଞ୍ଜନଗର(ନିଲୁ ବିଷୋୟୀ): ଚଳିତ ସାଧାରଣ ନିର୍ବାଚନ ପାଇଁ ରାଜନୀତି ଉଷ୍ମ ହେବାରେ ଲାଗିଛି। ରାଜନୈତିକ ଦୃଷ୍ଟି କୋଣରୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆସନ ଅଟେ। କନ୍ଧମାଳ ଲୋକସଭା କ୍ଷେତ୍ରରେ ରହିଥିବା ଏହି ଆସନ ନିମନ୍ତେ ତିନି ଦଳ ତରଫରୁ ଯୋଦ୍ଧା ଘୋଷଣା କରାଯାଇଛି। ପୂର୍ବରୁ ବିଜେଡି ସପ୍ତମ ଥର ପାଇଁ ବିକ୍ରମ କେଶରୀ ଆରୁଖଙ୍କୁ ପ୍ରାର୍ଥୀ ଘୋଷଣା କରି ସାରିଛି।  ବିକ୍ରମ ଙ୍କୁ ଦଳ ପୁଣି ଥରେ ପ୍ରାଥୀ କରିଥିବା ରୁ ନିର୍ବାଚନ ମଣ୍ଡଳୀ ରେ ନେତା ଓ କର୍ମୀ ମହଲରେ ଖୁସିର ବାତାବରଣ ରହିଛି। ଶ୍ରୀ ଆରୁଖ ୧୯୯୫ ମସିହା ରୁ ବର୍ତ୍ତମାନ ସୁଦ୍ଧା ଏଠାରୁ ଛଅ ଥର ନିର୍ବାଚିତ ହେବା ସହ ନବୀନ ସରକାର ରେ ସରକାରୀ ଦଳ ମୁଖ୍ୟ ସଚେତକ, ବିଭିନ୍ନ ବିଭାଗର ମନ୍ତ୍ରୀ, ବାଚସ୍ପତି ସହ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଅର୍ଥମନ୍ତ୍ରୀ ରହିଛନ୍ତି । ସପ୍ତମ ଥର ପାଇଁ ସେ ଏହି ଆସନ ରୁ ବିଜୟୀ ହୋଇ ବିରଳ ରେକର୍ଡ କରିବା ନିମନ୍ତେ ଗୋଟି ଚାଳନା ଆରମ୍ଭ କରି ଦେଇଛନ୍ତି । ସେହିପରି ମଙ୍ଗଳବାର ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେପି ପୁଣି ଥରେ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ୨୦୧୯ ନିର୍ବାଚନ ସେ ଏହି ଆସନରୁ ବିଜେଡି ହେଭିୱଟେ ବିକ୍ରମ ଆରୁଖ ଙ୍କୁ କଡା ଟକ୍କର ଦେଇଥିଲେ। ମାତ୍ର ୯ ହଜାର ୧୦୩ ଖଣ୍ଡ ଭୋଟ ବ୍ୟବଧାନ ରେ ବିକ୍ରମ ଆରୁଖ ବିଜୟୀ ହୋଇଥିଲେ। ବିଜେଡି ୪୮.୫୬ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ୪୨.୮୧ ପ୍ରତିଶତ ଭୋଟ ପାଇଁ ଦ୍ୱିତୀୟ ସ୍ଥାନ ରେ ରହିଥିଲା । ୨୦୦୯ ରେ  ୭୬.୫୦ ପ୍ରତିଶତ ଭୋଟ ପାଇଁ ସାରା ରାଜ୍ୟରେ ବିକ୍ରମ କେଶରୀ ଆରୁଖ ରେକର୍ଡ କରିଥିଲେ। କିନ୍ତୁ ୨୦୧୯ ରେ ଶ୍ରୀ ଆରୁଖ ବିଜୟ ଲାଭ କରିଥିଲେ ସୁଦ୍ଧା ଭୋଟହାର ୪୮.୫୬ ପ୍ରତିଶତ କୁ ହ୍ରାସ ପାଇଥିଲା ।  ବିଜେପିର ଶକ୍ତି ବୃଦ୍ଧି ପାଇଥିବା ବେଳେ ଚଳିତ ନିର୍ବାଚନ ହେଭିୱଟେ ବିକ୍ରମ ଆରୁଖ ଙ୍କୁ କଡା ଟକ୍କର ଦେବା ନିମନ୍ତେ ବିଜେପି ପୁଣି ପ୍ରଦ୍ୟୁମ୍ନ ଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଚିନ୍ତାଧାରା ଓ ଆଶା ବିଶ୍ୱାସକୁ ନେଇ ପୁଣି ଥରେ ଦଳ ପ୍ରାର୍ଥୀ ଘୋଷଣା କରିଥିବାରୁ ଶ୍ରୀ ନାୟକ ବିଜେପି ରାଜ୍ୟ ନେତୃବୃନ୍ଦ ଓ କର୍ମୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ନିର୍ବାଚନରେ ହୋଇଥିବା ଭୁଲ ଭଟକା କୁ ସମ୍ପୂର୍ଣ୍ଣ ସମାଧାନ କରି ବିଜେଡି କୁ ଧରାଶାୟୀ କରିବାକୁ କାଯ୍ୟ ଆରମ୍ଭ ହୋଇଥିବା ପ୍ରଦ୍ୟୁମ୍ନ ନାୟକ ପ୍ରକାଶ କରିଛନ୍ତି। ବିଜେଡି ଓ ବିଜେପି ର ଦୁଇ ଭେଟରାନ ଏବଂ  ଅଭିଜ୍ଞ ନେତାଙ୍କୁ କଡା ଟକ୍କର ନିମନ୍ତେ କଂଗ୍ରେସ ନବାଗତ ପ୍ରଶାନ୍ତ ବିଷୋୟୀ ଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଗତ ନିର୍ବାଚନ ରେ କଂଗ୍ରେସ ଏଠାରୁ ୪.୪୭ ପ୍ରତିଶତ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲା। ଭଞ୍ଜନଗର ବିଧାନସଭା ପାଇଁ ଚଳିତ ଥର କଂଗ୍ରେସ ଟିକଟ ନିମନ୍ତେ ୩୦ ଜଣ ଆଶାୟୀ ଆବେଦନ କରିଥିବା ବେଳେ ଦଳ ପ୍ରଶାନ୍ତ ବିଷୋୟୀ ଙ୍କ ନାମରେ ମୋହର ମାରିଛି । ୨୦୨୦ ମସିହା ପରଠୁ ପ୍ରଶାନ୍ତ ଭଞ୍ଜନଗର ରେ ଦଳୀୟ ସଂଘଠନ କୁ ସୁଦୃଢ କରିବା ସହ ମଙ୍ଗ ସମ୍ଭାଳି ଆସୁଛନ୍ତି। ବିଶେଷ କରି ଘୁମୁସର ଜିଲ୍ଲା ଦାବି ଏବଂ  ଭଞ୍ଜନଗର କୁ ମ୍ୟୁନସିପାଲଟି ଘୋଷଣା ଆନ୍ଦୋଳନରେ ଆଗଧାଡି ରେ ରହି ପ୍ରଶାନ୍ତ ଯୁବ ବେହେରା ମଧ୍ୟରେ ଚର୍ଚ୍ଚା କୁ ଆସିଥିଲେ। ଏଥର ଭଞ୍ଜନଗର ରେ ବିଜେଡି – ବିଜେପି କୁ ଧରାଶାୟୀ କରି କଂଗ୍ରେସ  ତାର ଗଡ଼ କୁ ଫେରିବ ବୋଲି ଶ୍ରୀ ବିଷୋୟୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥି ସହିତ ଦଳ ତାଙ୍କ ଉପରେ ଭରସା କରିଥିବାରୁ ଦଳୀୟ ନେତା ଓ କର୍ମୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ଆଗାମୀ ନିର୍ବାଚନ ଭଞ୍ଜନଗର ରେ ହାଇଭେଲଟେଜ୍ ତ୍ରିମୁଖୀ ଲଢେଇ ହେବାକୁ ଥିବା ବେଳେ ଉଭୟ ଦଳର ଦୁଇ ଅଭିଜ୍ଞ ସମ୍ପନ୍ନ ନେତାଙ୍କ ବିରୋଧରେ ନବାଗତ ପ୍ରଶାନ୍ତଙ୍କ ରଣନୀତି କିପରି ରହିବ ସେ ନେଇ ଦଳୀୟ କର୍ମୀ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।