ଅନୁସନ୍ଧାନ ଭାରତ(ବ୍ୟୁର): ନବରଙ୍ଗପୁର ମହାବିଦ୍ୟାଳୟର ବିନୋଦ ଝା ପ୍ରେକ୍ଷାଳୟରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବିତରଣ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ, ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ନବରଙ୍ଗପୁର ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ଅତିଥି ଭାବରେ ଯୋଗଦେଇ ନୂଆ-ଓ ଛାତ୍ରବୃତ୍ତିର ଅନୁମୋଦନ ଆଦେଶ ବଣ୍ଟନର ଶୁଭାରମ୍ଭ କରିଥିଲେ ।
ଯୁବକମାନଙ୍କର ଦକ୍ଷତା ବିକାଶ ତଥା ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷାର ରୂପାନ୍ତରଣରେ ରାଜ୍ୟ ସରକାରଙ୍କ ନୂଆ-ଓ ଛାତ୍ରବୃତ୍ତି ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ସହାୟକ ହେବ ବୋଲି ଅତିଥିମାନେ ଉଲ୍ଲେଖ କରିଥିଲେ । ଏହି ଟଙ୍କାକୁ ପାଠପଢ଼ା କାର୍ଯ୍ୟରେ ବିନିଯୋଗ କରି ସଶକ୍ତ ନୂଆ ଓଡ଼ିଶା ଗଠନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଭାସ୍କର ନାଥ ବିଶ୍ଵାଳ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଦ୍ଵାରା ମହାବିଦ୍ୟାଳୟ ପାଇଥିବା ବିଭିନ୍ନ ଅନୁଦାନ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏହି ଛାତ୍ରବୃତ୍ତି ସ୍ନାତକ ଓ ସ୍ନାତକୋତ୍ତର ପଢୁଥିବା ଛାତ୍ରଙ୍କୁ ୯ ହଜାର, ଛାତ୍ରୀଙ୍କୁ ୧୦ ହଜାର ଓ ଅନୁସୂଚିତ ଜାତି, ଜନଜାତି ତଥା ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ୧୦ ହଜାର ଓ ଝିଅଙ୍କୁ ୧୧ ହଜାର ଟଙ୍କା ଛାତ୍ରଛାତ୍ରୀମାନଙ୍କୁ ସିଧା ସଳଖ ତାଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଉଛି । ନବରଙ୍ଗପୁର ମହାବିଦ୍ୟାଳୟରେ ସ୍ନାତକରେ ପଢୁଥିବା ତେର ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ନୂଆ-ଓ ଛାତ୍ରବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇ ଅନୁମୋଦନ ପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡ଼.ଜାହାଙ୍ଗୀର ମହମ୍ମଦଙ୍କୁ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପି.ଏଚ୍.ଡି ଲାଭ କରିଥିବାରୁ ସମ୍ମାନିତ କରାଯାଇଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ଗଣିତ ଓ ରସାୟନ ବିଜ୍ଞାନ ବିଭାଗରେ ଏସ୍ଏସବି ଅଧ୍ୟାପକ ବୁଦ୍ଧଦେବ ସାହୁ ଓ ଅଧ୍ୟାପିକା ସୁଶୀଳା ଭୋଇଙ୍କୁ ଅତିଥିମାନଙ୍କ ଦ୍ଵାରା ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶ୍ରୀ ଶମ୍ଭୁ ପ୍ରସାଦ ହୋତା ଓ ଅର୍ଥନୀତି ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ହୋତା ସଂଯୋଜନା କରିଥିବା ବେଳେ ଅଶୋକ ପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଏବଂ ଛାତ୍ରବୃତ୍ତି ସଂଯୋଜକ ଶ୍ରୀ ମନୋରଞ୍ଜନ ଖୁରା ସହଯୋଗ କରିଥିବା ବେଳେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
Prev Post
କିଶୋର ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ ଓ ସ୍କଲାରସିପ” ସାର୍ଟିଫିକେଟ ବଣ୍ଟନ ସହ ପଞ୍ଚାୟତିରାଜ ଦିବସ ପାଳିତ….
Next Post