ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ସଦର ମହକୁମା ଟାଉନ୍ ହଲ୍ ଠାରେ ଗୁଣପୁର ପୌର ପରିଷଦ ତରଫରୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ଆମ ଓଡ଼ିଶା ନବୀନ ଓଡିଶା ସଚେତନ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଗୁଣପୁର ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ପୌର ପରିଷଦ ଗୁଣପୁରର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପ ଜିଲ୍ଲାପାଳ ଗୁଣପୁର ସୁଶ୍ରୀ କିରଣଦୀପ କୋର୍ ସହୋଟା, ପୌର ପରିଷଦର ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସ୍ଵସ୍ତିକ ଜମାଦାର ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ । କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଏବଂ କଣ୍ଠଶିଳ୍ପୀ ସିଦ୍ଧାର୍ଥ ଦାଶଙ୍କ ଦ୍ଵାରା ଭଜନ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ କୁନି କୁନି ଶିଶୁମାନଙ୍କ ଦ୍ଵାରା ଓଡିଶୀ ଓ ଭଜନ ସଙ୍ଗୀତ ନୃତ୍ୟ ପରିବେଷଣ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ଏହି କାର୍ଯ୍ୟକ୍ରମର ଗୁରୁତ୍ବ ଏବଂ ଓଡ଼ିଆ ଭାଷାର ସୁଦୀର୍ଘ ଇତିହାସ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଟ ସାହିତ୍ୟିକ ଶ୍ରୀ ନରସିଂହ ପ୍ରସାଦ ଦାଶ ଓଡ଼ିଆ ସାହିତ୍ୟ ଓ ଆମ ସଂସ୍କୃତି ଉଭୟର ସାମାଜିକ ଜୀବନ ସହ କିପରି ଅଙ୍ଗାଙ୍ଗୀ ଭାବରେ ଜଡିତ ତାହା ଦର୍ଶାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ କବିତା ଆସରର ଆୟୋଜନ କରାଯାଇଥିଲା ସେଥିରେ ଗୁଣପୁର ମାଟିର ବିଶିଷ୍ଟ କବି ଓ କବୟତ୍ରୀ ଯଥା ନରସିଂହ ପଟ୍ଟନାୟକ, ସଂଯୁକ୍ତା ତ୍ରିପାଠୀ, ରଜନୀ ରାଣୀ ମିଶ୍ର ଓ ବାଣୀଶ୍ରୀ ମହିଳା ସଂଘର ସଭାପତି କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଗୁଣପୁର ମାଟିର ଗର୍ବ ଓ ଗୌରବ ଭାବେ ପରିଚିତ ବିଶିଷ୍ଟ କବି ଶ୍ରୀ କାଳୀ କିଙ୍କର ମିଶ୍ର , ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ନରସିଂହ ଦାଶ, ବିଶିଷ୍ଟ କବି ଓ ଲେଖକ ଶ୍ରୀ ପ୍ରତାପ ରାୟ , କବୟତ୍ରୀ ସଂଯୋଜିକା ଶ୍ରୀମତୀ ବେବି ରାଣୀ ନନ୍ଦ, ଯୁବ ସଂଯୋଜିକା ଭାବେ ଶ୍ରାବଣୀ ରଥଙ୍କୁ ପୁଷ୍ପଗୁଚ୍ଛ , ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମର ଉଦଘୋଷକ ତଥା ଯୁବ ସଂଯୋଜିକା ଭାବେ ସୁଶ୍ରୀ ଶ୍ରାବଣୀ ରଥ ମଞ୍ଚ ସଂଯୋଜନା କରିଥିବା ବେଳେ ପୌର ପରିଷଦର ମୁକ୍ତା ଯନ୍ତ୍ରୀ ଶ୍ରୀ ରବିନ୍ଦ୍ର ନାଥ ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ପରିଷଦର ସମସ୍ତ କାଉନ୍ସିଲର, ଗଣମାଧ୍ୟମ ପ୍ରତିନିଧି , ବାଳିକା ମହାବିଦ୍ୟାଳୟର ବହୁ ଛାତ୍ରୀ ଏବଂ ଗୁଣପୁର ଅଞ୍ଚଳର ବୁଦ୍ଧିଜିବୀ ଓ ଜନସାଧାରଣମାନେ ଉପସ୍ଥିତ ରହିଥିଲେ । ଗୁଣପୁରରେ ପ୍ରଥମ କରି ଏଭଳି ଏକ କାର୍ଯ୍ୟକ୍ରମ ହୋଇଥିବାରୁ ସାଧାରଣରେ ପୌର ପରିଷଦକୁ ଭୂୟସୀ ପ୍ରଶଂସା କରାଯାଇଛି ।