ଭଞ୍ଜନଗର ଠାରେ ଜାତୀୟ ଦିବସ ପାଳିତ..…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଉପଖଣ୍ଡସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ ଗୁରୁବାର ସ୍ଥାନୀୟ ଟାଉନ୍ ହଲ୍ ଠାରେ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ଗଠନରେ ଭୋଟର(ମତଦାତା) ମାନଙ୍କ କର୍ତ୍ତବ୍ୟ ଓ ଭୁମିକା ବାବଦରେ ବକ୍ତବ୍ୟ ରଖିଥିଲେ । ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା ତଥା ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର, ଡେପୁଟି କଲେକ୍ଟର ଦିପ୍ତିମୟୀ ପ୍ରଧାନ, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ବାମିତ୍ର ହରପାଲ୍, ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ୧୨ ଜଣ ଶ୍ରେଷ୍ଠ ବିଏଲଓ ଓ ସୁପରଭାଇଜଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସମେତ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।