ଧରାକୋଟ, ଛତୁଆ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଶ୍ରମିକ ମୃତ…..

ଅନୁସନ୍ଧାନ ଭାରତ(ବ୍ୟୁର ):ଧରାକୋଟ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନସ୍ଥ ଛତୁଆ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଶ୍ରମିକ ନମିତା ନାୟକ ଗତ ପନ୍ଦର ଦିନ ପୂର୍ବେ ଆହତ ହେବା ପରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା । ତାଙ୍କୁ ପ୍ରଥମେ  ବ୍ରହ୍ମପୁର ତାପରେ କଟକ ଓ ଶେଷରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ପୁଲିସ ତରଫରୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଧରାକୋଟ ମେଡିକାଲ ରୋଡ ନୂଆସାହିରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ମହାଲିଙ୍ଗେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଛତୁଆ କେନ୍ଦ୍ରରେ ଛତୁଆ ପ୍ରସ୍ତୁତ କରି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର କୁ ଯୋଗାଣ କରାଯାଉଛି । ଏକ ସରକାରୀ ଜାଗାରେ ଏହି କେନ୍ଦ୍ର ରହିଥିବା ବେଳେ ଏହାର  ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନାହିଁ । ସେହିପରି ନିଜସ୍ଵ ବିଦ୍ୟୁତ ସଂଯୋଗ ନଥିବା ବେଳେ ବିପଦ ଜନକ ଭାବରେ ହୁକ ପକାଇ ପଡୋଶୀ ଘରୁ ବିଦ୍ୟୁତ ସଂଯୋଗ ଆଣି କାମ ଚଳାଉଥିବା ଅଭିଯୋଗ ହୋଇଛି । ଏହା ସହ କେନ୍ଦ୍ରର ଚଟାଣ ନଷ୍ଟ ହୋଇ ଧୂଳି ମାଟି ହୋଇରହିଥିବା ଯୋଗୁଁ ଶିଶୁ ଖାଦ୍ୟର ସ୍ୱଚ୍ଛତା ଓ ପୁଷ୍ଟିକର ଖାଦ୍ୟ ନେଇ ସନ୍ଦେହ ସୃଷ୍ଟି ହୋଇଛି। କେନ୍ଦ୍ରର ଗୋଦାମ ଘର ନଥିବାରୁ ବିପଦ ସଙ୍କୁଳ ସ୍ଥିତିରେ ସଂକୀର୍ଣ୍ଣ ଜାଗା ରେ ଚିନି,ବାଦାମ, ଗହମ ଗଛିତ ରହୁଛି। ଛତୁଆ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଶ୍ରମିକ ମାନଙ୍କୁ ଶ୍ରମିକ ଭାବରେ ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକରଣ  କରାଯାଇନାହିଁ । ମହିଳା ଶ୍ରମିକ ନମିତା ନାୟକ ଚିନି ଭର୍ତି ଅଖା ବାହାର କରୁଥିବା ବେଳେ ଏହା ତାଙ୍କ ଉପରେ ଖସିପଡ଼ିବା ଯୋଗୁଁ ତାଙ୍କର ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା । ସଂପ୍ରତି ତାଙ୍କର ମୃତ୍ୟୁ ପରେ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ସଂଘର ସଭାପତି ରିନା ଗୌଡ଼ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ସି ଡି ପି ଓ ସୁନିଲ ପ୍ରଭା ରଥଙ୍କ ସହ ଯୋଗାଯୋଗ ବେଳେ ଘଟଣା ସମ୍ପର୍କରେ ମୁଁ ଅବଗତ ଅଛି। ତଦନ୍ତ ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ଏତେ ସବୁ ଅଭିଯୋଗ ରହିଥିଲେ ମଧ୍ୟ ପରିବେଶ ବିଭାଗ କିପରି ଏହି କେନ୍ଦ୍ରରେ ଛତୁଆ ପ୍ରସ୍ତୁତି ପାଇଁ ଅନୁମତି ଦେଇ ଛୋଟ ଛୋଟ କୋମଳମତି ଶିଶୁମାନଙ୍କ ଜୀବନ ସହ ଖେଳ ଖେଳିବା ପାଇଁ ରାସ୍ତା ଉନ୍ମୁକ୍ତ କଲା ତାହା ତଦନ୍ତର ବିଷୟ ପାଲଟିଛି । ତୁରନ୍ତ ଗଞ୍ଜାମ ଜିଲ୍ଲାପାଳ ଏହି ଛତୁଆ କେନ୍ଦ୍ରର ବେନିୟମ କାର୍ଯ୍ୟର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।