ଷ୍ଟେସନ ଛକ ମାଛ ବଜାରରେ ବଢ଼ିବାରେ ଲାଗିଛି ଟ୍ରାଫିକ ସମସ୍ୟା, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ଓ ପୌରରିଷଦ.……

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରର ସ୍ଥାନୀୟ ଷ୍ଟେସନ ଛକରେ ବେଆଇନ ଭାବେ ଜବରଦଖଲ କ୍ରମେ ଗଢି ଉଠିଥିବା ଆମିଷ ବଜାର ଏବେ ବଡ ସମସ୍ଯା ହୋଇଛି । ଗୋଟିଏ ଛୋଟିଆ ମାଛ ଦୋକାନ ପରେ ମାଂସ ଦୋକାନ ଟିଏ ଓ ତାକୁ ଲାଗିକରି ଶୁଖୁଆ ଦୋକାନ ପରେ ଏବେ ଧାଡିବାନ୍ଧି ମୁଖ୍ଯ ରାସ୍ତାର ଦୁଇ ପାର୍ଶ୍ବରେ ଗଢି ଉଠିଥିବା ଆମିଷ ବଜାରରେ ସକାଳ ହେଲେ ନେଇ ଟ୍ରାଫିକ ସମସ୍ଯା ହେବାରେ ଲାଗିଛି । ପରିସ୍ଥିତି ଏମିତି ହେଲେଣି ଯେ ଏହି ଜବର ଦଖଲ ଆମିଷ ବଜାର ଯେମିତିକି ପ୍ରତେକ ମୁହୁର୍ତ୍ତରେ ଦୁର୍ଘଟଣାକୁ ଡାକିକି ରହିଛି । ସହରର ପୁରୁଣା ବଜାରରେ ପୌର ପରିଷଦର ଗୋଟିଏ ଆମିଷ ବଜାର ରହିଥିବା ବେଳେ ଷ୍ଟେସନ ଛକରେ ଗଢି ଉଠିଛି ଆଉଏକ ଆମିଷ ବଜାର । ବଳରାମ ନଗର ଠାରୁ ଆରମ୍ଭ କରି ଢେପ, ଶାନ୍ତି ନଗର, ମରାଠିଗୁଡା, ବାବୁଲି ନଗର ଇତ୍ଯାଦି ଅଞ୍ଚଳ ବାସି ଏହି ବଜାର ଉପରେ ନିର୍ଭର କରୁଛନ୍ତି । ଫଳରେ ସକାଳ ପାଇଲେ ଅଧା ସହର ବାସି ନିର୍ଭର କରୁଥିବା ଏହି ବଜାରରେ ରାସ୍ତା ଉପରେ ଗାଡି ଗୁଡାକ ରଖି ଗ୍ରାହକ ମାନେ ଆମିଷ କିଣୁଥିବା ଦେଖିବାକୁ ମିଳୁଛି । ଏମିତିକି ରାସ୍ତା ଉପରେ ଗାଡି ରଖି ଚାରି ପାଞ୍ଚଜଣ ଗ୍ରାହକ ଏକା ଜାଗାରେ ଛିଡା ହୋଇ କଥାହବା ମଧ୍ଯ ଏଠିକାର ନିତି ଦିନିଆ ଘଟଣା ହୋଇ ସାରିଲାଣି । ଏହି ଛକରୁ ଗୋଟିଏ ପଟେ ବସଷ୍ଟାଣ୍ଡ ଯିବାକୁ ରାସ୍ତା ଲମ୍ବିଥିବା ବେଳେ ଅନ୍ଯ ରାସ୍ତାଟି ଷ୍ଟେସନ ପଟକୁ ଯାଇଛି । ସେହିପରି ମେଡିକାଲ ପଟକୁ ମଧ୍ୟ ଗୋଟିଏ ରାସ୍ତା ଲମ୍ବିଛି । ଏଣୁ ଦିନ ତମାମ ଏହି ଛକରେ ଟ୍ରାଫିକ୍ ଭିଡ ଲାଗି ରହୁଛି । ହେଲେ ରେଲୱେ ଜାଗା ଓ ପୁର୍ତ୍ତ ବିଭାଗର ରାସ୍ତା ଉପରେ ଜବର ଦଖଲ କ୍ରମେ ଗଢି ଉଠିଥିବା ଏହି ଆମିଷ ବଜାର ପାଇଁ ଟ୍ରାଫିକ୍ ସମସ୍ଯା ତିଆରି ହେଉଛି । ନିତିଦିନ ଏହି ରାସ୍ତା ଦେଇ ପୌର କର୍ତ୍ତୃପକ୍ଷ ଓ ପୁଲିସ କର୍ତ୍ତୃପକ୍ଷ ଯାତାୟତ କରିବା ସହ ଏହି ସମସ୍ଯାକୁ ଦେଖୁଛନ୍ତି । ହେଲେ ଏହାର ପ୍ରତିକାର ପାଇଁ କେହି ମନ ବଳାଉ ନାହାନ୍ତି । ଏଣୁ ଏହି ଆମିଷ ବଜାରର ବିକ୍ରେତାମାନଙ୍କୁ ଏଠାରୁ ଉଠାଯାଇ କେଉଁ ଗୋଟିଏ ସ୍ଥାନରେ ସହରର ଦ୍ବିତିୟ ଆମିଷ ବଜାର କରି ଥଇଥାନ କରିବା ସହ ଏଠାକାର ଟ୍ରାଫିକ୍ ସମସ୍ଯାରେ ସୁଧାର ଆଣିବା ଜରୁରୀ ହୋଇ ପଡିଛି ।