ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଜଟଣୀ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଚଳିତ ଅକ୍ଟୋବର ମାସ ୨୭ ତାରିଖ ଖୋର୍ଦ୍ଧା ଜିଲ୍ଲାର ଗୀତା ଭବନ ପଡ଼ିଆ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ହେବାକୁ ଥିବା ପରିବର୍ତନ ସମାବେଶ ପାଇଁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଦ୍ୱୀପତଳ ଅନ୍ଧାର ପରି ଖୋର୍ଦ୍ଧା ଜିଲ୍ଲା ନବୀନ ଓ ମୋଦି ସରକାର ଉଦାସୀନତାରେ ଶିକାର । ଖୋର୍ଦ୍ଧା ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁ୍କ୍ତି ନାହିଁ । ସରକାରୀ ଯୋଜନାର ରୂପାୟନରେ ବ୍ୟାପକ ଦୁର୍ନୀତି ହେଉଛି । ସରକାରୀ ଶିକ୍ଷାନୁଷ୍ଠାନର ଦୁରାବସ୍ଥା କହିଲେ ନସରେ । ଏଠି ପ୍ରାଇଭେଟ ଶିକ୍ଷାନୁଷ୍ଠାନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଆଇନ ଶୃଙ୍ଖଳା ଅତ୍ୟନ୍ତ ବିପର୍ଯ୍ୟସ୍ତ । ସୁତରାଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସମସ୍ୟା, ରାଜ୍ୟର ଉତ୍କଟ ଗରିବି, ବେକାରୀ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ବ୍ୟବସ୍ଥା, ମହଙ୍ଗାମାଡ଼ ପ୍ରଭୃତି ପ୍ରସଙ୍ଗରେ କଂଗ୍ରେସର ପରିବର୍ତନ ସମାବେଶ ହେବ । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ କହିଥିଲେ ଯେ ଏହି ସାଧାରଣ ସଭାରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡା.ଏ ଚେଲ୍ଲା କୁମାର, ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି, କଂଗ୍ରେସ ବିଧାୟକ, ଏଆଇସିସିର କର୍ମକର୍ତା, ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ସାଂସଦ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, କଂଗ୍ରେସର ସମସ୍ତ ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗଦେବେ । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ କଂଗ୍ରେସ କର୍ମୀ, କୃଷକ, ବେକାରୀ ଯୁବକ ଯୁବତୀ, ଛାତ୍ର, ମହିଳା, ବ୍ୟବସାୟୀ, ବୁଦ୍ଧିଜୀବି ଓ ବିଭିନ୍ନ ବର୍ଗର ଲୋକ ଏହି ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ଅକ୍ଟୋବର ୨୭ ତାରିଖ ଦିନ ଖୋର୍ଦ୍ଧା ଗୋଡ଼ିପୋଖରୀ ଠାରୁ ଏକ ବିଶାଳ ଶୋଭାଯାତ୍ରା ଗୀତା ଭବନ ପଡ଼ିଆ ପର୍ଯ୍ୟନ୍ତ ଯିବ ଏବଂ ସେଠାରେ ପରିବର୍ତନ ସମାବେଶ ହେବ । ଖୋର୍ଦ୍ଧା ଜିଲ୍ଲାର ସାଧାରଣ ଜନତା ୨୩ ବର୍ଷର ନବୀନ ସରକାର ଓ ୯ ବର୍ଷର ମୋଦି ସରକାରର ଉଦାସୀନତାରେ ଅତିଷ୍ଠ । ଏଠି ବ୍ଲକ ବାରଣ୍ଡାକୁ ଅଣ ବିଜେଡ଼ି ଲୋକେ ଚଢ଼ି ପାରୁ ନାହାନ୍ତି । ବ୍ଲକ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଜୁ ଜନତା କାର୍ଯ୍ୟାଳୟରେ ପରିଣତ ହୋଇଛି । ବିନା ଲାଂଚରେ ସରକାରୀ ଅଫିସରେ କାମ ହୋଇପାରୁ ନାହିଁ । ଜଟଣୀର ବହୁ ପରିବାରଙ୍କର ପୈତୃକ ସଂପତି ସରକାରଙ୍କର ଭୁଲ ନିଷ୍ପତି ପାଇଁ ଜଗନ୍ନାଥ ଜମିରେ ପରିଣତ ହୋଇଯାଇଛି । ଯାହା ଫଳରେ ଏହି ସମ୍ପତିର ମାଲିକମାନେ ସେ ଜମିକୁ ପୁଅ ବାହାଘର, ଝିଅ ବାହାଘର, ରୋଗବ୍ୟାଧି, ପାଠପଢ଼ା ପ୍ରଭୃତି କାର୍ଯ୍ୟରେ ବିକ୍ରୟ କରିପାରୁ ନାହାନ୍ତି । ସରକାରୀ ଯୋଜନା ମଧ୍ୟ ଏହି କାରଣ ପାଇଁ ଏଠାରେ ରୂପାୟନ ହୋଇପାରୁ ନାହିଁ । ତୁରନ୍ତ ଭୁଲ କ୍ରମେ ଜଗନ୍ନାଥ ଜମିରେ ପରିଣତ ହୋଇଥିବା ଏଠିକାର ମୂଳବାସିନ୍ଦା ମାନଙ୍କର ଜମିକୁ ସରକାର ସେମାନଙ୍କ ନାମରେ ଫେରାଇ ଦେବାକୁ ଏହି ସଭାରେ ଦାବି ରହିବ । ଆଜିର ପ୍ରସ୍ତୁତି ବୈଠକରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ କଂଗ୍ରେସ ସଭାପତି, କର୍ମକର୍ତା ମାନଙ୍କ ସହ ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ପ୍ରକାଶ ଜେନା, ଯୋଗିନାଥ ବାହୁ ବଳେନ୍ଦ୍ର, ପ୍ରଦୀପ ସ୍ୱାଇଁ, ବେଣୁ ଭୋଇ, ବଟକୃଷ୍ଣ ରାଉତରାୟ, ଶିଶିର ପରିଡ଼ା, ଜୟକୃଷ୍ଣ ମଲ୍ଲିଆ, ଅମିତ ମହାନ୍ତି, ଲିଙ୍ଗରାଜ ସାହୁ, ଭୂଷଣ ଛୋଟରାୟ, ସୁନିଲ ରାଉତରାୟ, ଅଶୋକ ମଙ୍ଗରାଜ, ପଦ୍ମଚରରଣ ରାୟ, ନଗେନ ସିଂ, ଧନେଶ୍ୱର ରାଉତରାୟ, ତ୍ରିଲୋଚନ ପ୍ରଧାନ, ତପନ ଚର୍କବର୍ତୀ, ଜୟନ୍ତ ଭୋଇ, ତାପସ ସେଠୀ, ନଳିନୀ ବେହେରା, ବିଜୟ କିଶୋର ଶିଶିର ଶେଖର ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।