ଶିଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶଶିକାନ୍ତ ମହାନ୍ତି, ବ୍ଲକ ଅଧ୍ୟକ୍ଷା ବାଲ୍ଲା ସାୟାମ୍ମା ମଞ୍ଚାସିନ ହୋଇଥିଲେ। ତହସିଲଦାର ଅଶୋକ କୁମାର ପ୍ରଧାନ,ବିଡ଼ିଓ କପିଳେଶ୍ୱର ତାଣ୍ଡି, ଏନଏସି ନିର୍ବାହୀ ଅଧିକାରୀ ଆଶିଷ କୁମାର ପ୍ରଧାନ ଉପସ୍ଥିତିରେ ଜନ ଅଭିଯୋଗ ଶୁଣାଣୀ କରାଯାଇଥିଲା । କାଶୀନଗର ବ୍ଲକର ଶିଆଳି, ଖାରଡ଼ା, କିଡିଗାମ୍, ହାଡ଼ଭାଙ୍ଗି, ଖାଣ୍ଡବା, ବୁଦୁରା ଓ କେ.ସୀତାପୁର ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ ୫୬ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୨୮ ଗୋଟି, ଗ୍ରାମ ଭିତ୍ତିକ ସମସ୍ୟା- ୨୮ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ମୁଖ୍ୟତଃ ବହୁ ପଞ୍ଚାୟତରୁ ନୂତନ ଘର ନିର୍ମାଣ ସମସ୍ୟାକୁ ନେଇ ଅଭିଯୋଗ ଆସିଥିବା ବେଳେ ତାହା ଯେପରି “ମୋ ଘର” ଯୋଜନାରେ ସଂପୃକ୍ତ କରି ସମାଧାନ କରାଯିବ ସେଥିପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ଜଳ ସେଚନ, ଗୃହ ନିର୍ମାଣ, ରାସନ୍ କାର୍ଡ, ମନରେଗା, ଶିକ୍ଷା, ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ମୁଖ୍ୟତଃ ବେଆଇନ ଭାବେ ମଦ ବିକ୍ରିକୁ ନେଇ ଅଭିଯୋଗ ହୋଇଥିବା ବେଳେ, ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଅବକାରୀ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । କିଛି ମାସ ପୂର୍ବେ ଆଳଡ଼ା ଗ୍ରାମର ନୋବଦୟ ଛାତ୍ରୀର ମୃତ୍ୟୁର ନ୍ୟାୟ ମିଳିବା ନେଇ ଛାତ୍ରୀଙ୍କ ମାଆ ଅଭିଯୋଗ କରିଥିବା ବେଳେ ମୃତ୍ୟୁ ଛାତ୍ରୀର ସାନ ଭଉଣୀଙ୍କୁ ଆର୍ଦଶ ବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ସେହିପରି କାଶୀନଗର ସହରର ଜଣେ ଆର୍ମି ଯବାନର ଆତ୍ମହତ୍ୟା ଘଟଣାର ସଠିକ୍ ତଦନ୍ତ ପାଇଁ ଯବାନଙ୍କ ମାଆ ୱାୟ. ପଦ୍ମାବତୀ ଅଭିଯୋଗ କରିଥିବା ବେଳେ ଉକ୍ତ କେସର ତଦନ୍ତ ପାଇଁ ପାରଳାଖେମୁଣ୍ଡି ଏସଡିପିଓ ମାଧବ ନନ୍ଦ ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଖାଣ୍ଡବା ପଞ୍ଚାୟତରେ ବାଡିଗାଁ ଓ ସାରା ଗ୍ରାମରେ ଦିନକୁ ଦିନ ବଡୁଥିବା ଡେଙ୍ଗୁ ରୋଗର ଅଧିକ ଚିକିତ୍ସା ପାଇଁ ଜାରି କରାଯିବା ଓ ତାହା ସହ ଉକ୍ତ ଗ୍ରାମର ରାସ୍ତା ଘାଟ, କେନାଲ ଓ ନିଜ ନିଜ ଘର ସଚ୍ଚତା ରଖିବା ପାଇଁ ଗ୍ରାମବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ । କାଶୀନଗର ଏନଏସିରେ ଥିବା ୧, ୨, ୩ ୱାର୍ଡରେ ପାନୀୟ ଜଳ ସମସ୍ୟାକୁ ନେଇ ୱାର୍ଡବାସି ଅଭିଯୋଗ କରିଥିବା ବେଳେ ତାହା ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି I ସେହିପରି ସହରରେ ନିର୍ମାଣ କରାଯାଉଥିବା ପ୍ଲାଷ୍ଟିର ପ୍ୟାରିସ ଗଣେଶ ମୂର୍ତ୍ତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଙ୍କୁଶ କରିବା ନେଇ ନିର୍ଦ୍ଦେଶ ହୋଇଥଲା । ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କା ଉକ୍ତ ବ୍ୟବସାୟରେ ବିନିଯୋଗ କରିଥିବା ବେଳେ ହଠାତ୍ ପ୍ରଶାସନ ଅଙ୍କୁଶ କରିବା ଦ୍ୱାରା ଲକ୍ଷାଧିକ ଟଙ୍କା କ୍ଷତି ହେବା ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଶୁଣାଣୀ ଦେଇଥିଲେ ବ୍ୟବସାୟୀ । କାଶୀନଗର ଆଜିର ମିଳିତ ଜନ ଅଭିଯୋଗ ଶୁଣାଣିରେ ଆବେଦନର ତୁରନ୍ତ ଫଇସଲା କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଏବଂ ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ଶିଆଳି ସରପଞ୍ଚ ଶ୍ରୀ ରାମପ୍ରସାଦ ପଟ୍ଟନାୟକ, ସମିତି ସଭ୍ୟ କୁଣ୍ଡଙ୍ଗି ସୋମେଶ, ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମର ଶାନ୍ତି ବଜାୟ ରଖିବା ପାଇଁ କାଶୀନଗର ଥାନା ସବଇନ୍ସପେକ୍ଟର ମମତା ପଣ୍ଡା, ସିନ୍ଧୁ ଶାର୍କା ଓ ପୁଲିସ କର୍ମଚାରୀ ମୁତୟନ ହୋଇଥିଲେ ।