ଗୁଣପୁର ସହରରେ ମାତିଛନ୍ତି ବାଇକ ଲୁଟେରା, ସିସିଟିଭି ଫୁଟେଜରେ କଏଦ ହୋଇଛି ବାଇକ୍ ଚୋରିର ଦୃଶ୍ୟ…

ଅନୁସନ୍ଧାନ ଭାରତ (ବ୍ୟୁର): ଦିନକୁ ଦିନ ରାୟଗଡା ଜିଲ୍ଲା ଗୁଣପୁର ସହରରେ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି। ଚୋରି, ଡାକାୟିତି, ଲୁଟେରା, ମଦ୍ୟପଙ୍କ ଉପଦ୍ରବ ପ୍ରଭୃତି ବୃଦ୍ଧି ପାଇଛି । ସହରରେ ଯାନବାହନ ରଖି ଲୋକେ ବିଭିନ୍ନ କାମଧନ୍ଦାରେ ଯାଉଥିବା ବେଳେ ଫେରିବା ବେଳକୁ ଗାଡି ଉଭାନ ହେଇଯାଉଛି । ଗତକାଲି ଲିମାମେଡା ଗ୍ରାମର ସୁଶାନ୍ତ ଗୌଡ଼ ନିଜ ଏଚଏଫଡିଲକ୍ସ ଓଡ଼ି ୧୮ ଇ ୧୪୩୨ ନମ୍ବର ବିଶିଷ୍ଟ ବାଇକ ହଳଦିଆ ନାଳ ନିକଟସ୍ଥ ଏକ ସୋରୁମ୍ ନିକଟରେ ରଖି ନିଜ କର୍ମକ୍ଷେତ୍ରକୁ ଯାଇଥିଲେ । ଅପରାହ୍ନ ୪ଟା ବେଳେ ଦେଖିଲା ବେଳକୁ ସେଠାରେ ବାଇକ ନ ଥିବା ଜଣାପଡିଥିଲା । ଆଖପାଖରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ପରେ ଏକ ସିସିଟିଭି ଫୁଟେଜରୁ ଦୁଇଜଣ ଦୁର୍ବୃତ୍ତ ଚୋରି କରି ନେଉଥିବା ଜଣାପଡିଛି । ଏନେଇ ସୁଶାନ୍ତ ଗୌଡ଼ ଗୁଣପୁର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି। ତେବେ ଦୁର୍ବୃତ୍ତମାନେ ମୁହଁରେ କପଡା ଢାଙ୍କିବା ସହ ଛତା ଧରିଥିବାରୁ ଚିହ୍ନିବାରେ ସମସ୍ୟା ସୃଷ୍ଟି ହୋଇଛି । ତେବେ ସୁଶାନ୍ତ ଜଣେ ନିହାତି ଗରୀବ ବ୍ୟକ୍ତି ବିଶେଷ ହୋଇ ଥିବାରୁ ପୁଲିସ ଘଟଣାର ତ୍ୱରିତ ଅନୁସନ୍ଧାନ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।