ଗାଁକୁ ନାହିଁ ରାସ୍ତା, ଦୋଳାରେ ବୁହା ହେଲେ ଗର୍ଭବତୀ ମହିଳା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ସରୁନି ଜନନୀ ଯନ୍ତ୍ରଣା । ରାସ୍ତାଘାଟ ନଥିବାରୁ ଗାଁରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ନେଟୱାର୍କ ଅଭାବରୁ ହୋଇ ପାରୁନି ଯୋଗାଯୋଗ । ଗମନାଗମନର ସୁବିଧା ନ ଥିବାରୁ ଗର୍ଭବତୀ ମହିଳାଙ୍କୁ ଦୋଳାରେ ବୋହି ନେବାକୁ ପଡୁଛି । ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ମୁଷୁମାଷ୍କା ଗ୍ରାମର ବାଳକୃଷ୍ଣ ମଲିକଙ୍କ ସ୍ତ୍ରୀ ଇନାମତିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ଜନନୀ ଏକ୍ସପ୍ରେସକୁ କୌଣସି ପ୍ରକାରେ ଖବର ଦିଆଯାଇଥିଲେ ବି ଗାଁ ପର୍ଯ୍ୟନ୍ତ ରାସ୍ତା ନଥିବାରୁ ଘର ପାଖରେ ପହଞ୍ଚି ପାରି ନଥିଲା ଆମ୍ବୁଲାନ୍ସ । ବାଧ୍ୟ ହୋଇ ପରିବାର ଓ ପଡ଼ୋଶୀ ଲୋକେ ଏକ ଦୋଳାରେ ଇନାମତିଙ୍କୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ନିକଟସ୍ଥ ପକ୍କା ରାସ୍ତା ପର୍ଯ୍ୟନ୍ତ ବୋହି ଆଣିଥିଲେ । ସେଠାରୁ ଜନନୀ ଏକ୍ସପ୍ରେସ ଯୋଗେ ତାଙ୍କୁ ଫିରିଙ୍ଗିଆ ମେଡିକାଲକୁ ନିଆ ଯାଇଥିଲା । ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ଭିତରେ ହିଁ ଇନାମତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏବେ ଉଭୟ ମା ଛୁଆ ସୁସ୍ଥ ଥିବା ଜଣାପଡିଛି । ଗାଁ ଲୋକଙ୍କ କହିବା ଅନୁଯାୟୀ, ଅନେକ ଦିନ ତଳେ ଗାଁକୁ ମାଟି ରାସ୍ତା ନିର୍ମାଣ ହୋଇଥିଲା । ଗତ ଲଗାଣ ବର୍ଷାରେ ଏହି ରାସ୍ତା ଧୋଇ ହୋଇ ଯାଇଛି । ଆଜି ପର୍ଯ୍ୟନ୍ତ ମରାମତି ହୋଇ ପାରିନାହିଁ । ଫଳରେ ଗାଁ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗାଁକୁ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ ।