ଦୁର୍ଦ୍ଦିନରେ ବାଉଁଶ କାରିଗର, ସହାୟତା କଲା ସବୁଜ ବୈଦ୍ୟ ସଂଗଠନର….

ଅନୁସନ୍ଧାନ ଭାରତ(ବ୍ୟୁର): କରୋନା ମହାମାରୀ ବାଉଁଶ କାରିଗରମାନଙ୍କ ଜୀବିକା ଛଡାଇ ନେଇଛି । ଉତ୍ପାଦିତ ସାମଗ୍ରୀ ବିକ୍ରୀ ହୋଇପାରୁନ ଥିବାରୁ କରିବେ କଣ ଚଳିବେ କେମିତି ସେ ଚିନ୍ତା ରେ ବାଉଁଶ କାରିଗର I ଗତବର୍ଷ କରୋନା ସଂକ୍ରମଣର ପ୍ରଥମ ଲହରକୁ ବ୍ରେକ ଦେବା ପାଇଁ ଦୀର୍ଘ ମାସ ଧରି ଲକଡାଉନ ଓ ସଟଡାଉନ ଜାରି ରଖିଥିଲେ I ଫଳରେ ବାଉଁଶ କାରିଗରମାନେ କ୍ଷତିଗ୍ରସ୍ତ ହୋଇଥିଲେ I ପରେ କରୋନା ସଂକ୍ରମଣ କିଛିଟା ହ୍ରାସ ପାଇବା ପରେ ଦୋକାନ ବଜାର ହାଟ ସ୍ୱାଭାବିକ ଭାବେ ଖୋଲିଥିଲା I ଫଳରେ ଦୁଃଖ କଷ୍ଟରେ ଥିବା ବାଉଁଶ କାରିଗର ମାନେ ପୂର୍ବପରି କାମ ଆରମ୍ଭ କରିଥିଲେ I ଏଥର ବିବାହ, ବ୍ରତ, ପର୍ବ ପର୍ବାଣୀ, ଶୁଦ୍ଧ କ୍ରିୟା ସବୁ ହେବ ଆଉ ସେମାନଙ୍କର ଭଲ ବିକ୍ରି ହେବ ବୋଲି ଆଶା କରି କାମ ଆରମ୍ଭ କରିଥିଲେ I କିଛିଦିନ କିଛି କିଛି ସାମଗ୍ରୀ ବିକ୍ରି ବି ହେଲା I ପରିବାରରେ ହସ ଖୁସି ଫେରି ଆସିବା ବେଳେ ୩/୪ ମାସ ଯାଇଛି କି ନାହିଁ ପୁଣି ଗତ ମାସେ ହେଲାଣି ସରକାର ଲକ ଡାଉନ ଘୋଷଣା କରିଛନ୍ତି I ହାଟ ବଜାର ସବୁ ବନ୍ଦ ତା ସାଙ୍ଗକୁ ଗାଡିମଟର ବି ବନ୍ଦ I ସେହିପରି ବିବାହ, ବ୍ରତ, ଶୁଦ୍ଧ କ୍ରିୟା ଆଦି ସବୁରେ କଟକଣା ଲଗାଇଲେ ସରକାର I ଫଳରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ କୁଲା, ଚାଙ୍ଗୁଡ଼ି, ଟକେଇ, ଝାଡୁ ଆଦି ବିକ୍ରୀ ହୋଇ ପାରିଲାନି I ଫଳରେ ଚଳିବା ମୁସ୍କିଲ ହୋଇ ପଡ଼ିଥିବା ବାଉଁଶ କାରିଗର ଦଣ୍ଡିମାହା ଗ୍ରାମର ବାବୁଲା ପରିଜା କହିଛନ୍ତି । ବିକ୍ରୀ ନ ହେବାରୁ ଉତ୍ପାଦିତ ସାମଗ୍ରୀ ମହଜୁଦ ବି ରହିଛି I ଛୋଟ ଘର ସମସ୍ତଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବାବେଳେ ଉତ୍ପାଦିତ ସାମଗ୍ରୀମାନ ରଖିବେ କେଉଁଠି ବୋଲି କହିଛନ୍ତି I ଏଣୁ ସେମାନେ ଆଉ ପରିଶ୍ରମ କରି ବାଉଁଶ ସାମଗ୍ରୀ ତିଆରି କରୁନଥିବା କହିଛନ୍ତି I ଏପଟେ ଗାଡ଼ି ମଟର ବନ୍ଦ ଯୋଗୁ ଆବଶ୍ୟକ କଞ୍ଚାମାଲ ମଧ୍ୟ ଆଣି ପାରୁନଥିବା କହିଛନ୍ତି I ସଞ୍ଚିତ ଯାହା ଦି ପଇସା ଥିଲା କେବଠୁ ସରିଗଲାଣି ଆଉ ଚଳିବା ପାଇଁ କିଛି ନାହିଁ ତାଙ୍କ ପାଖରେ ବୋଲି କ୍ଷୋଭର ସହ କହିଛନ୍ତି ବାଉଁଶ କାରିଗର ବାବୁଲା ପରିଜା ଏବଂ ତାଙ୍କ ସ୍ତ୍ରୀ ମମତା ପରିଜା I ଏହି ପରିସ୍ଥିତି ରେ ସାହାଯ୍ୟର ହାତ ବଢ଼େଇଛି ସ୍ଵେଚ୍ଛା ସେବୀ ସଂଗଠନ କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ ଓ ଦିଲ୍ଲୀ ସ୍ଥିତ ଗୁଞ୍ଜ ଅନୁଷ୍ଠାନର ସହାୟତାରେ କିଛି ଦିନ ଚଳିବା ପାଇଁ ଶୁଖିଲା ଖାଦ୍ୟ ଏହି ବାଉଁଶ କାରିଗରମାନଙ୍କୁ ଜଗେଇ ଦିଆଯାଇଛି I ଏହି ଦଣ୍ଡିମାହା ଭଳି ଆଉ କେତେକ ଗ୍ରାମ କିରୀକୁଟି, ମ୍ଳୁକ୍ଚେରି, ସାତାରିପାଙ୍ଗା ବାଉଁଶ କାରିଗରମାନଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ଦିଆଯାଇଛି I