ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ରେ ଅନବରତ ବର୍ଷା ଲାଗି ରହିଥିବା ବେଳେ ପ୍ରାୟ ଏକ ସପ୍ତାହ ହେବ ଆକାଶ ମେଘାଚ୍ଛନ୍ନ ରହୁଛି I କେତେ ବେଳେ ଝିପି ଝିପି ବର୍ଷା ତ ଆଉକେତେ ବେଳେ ପ୍ରବଳ ମାତ୍ରାରେ ବର୍ଷା ହେଉଛି I ଆଜି ସକାଳ ଠାରୁ ଲାଗି ରହି ଥିବା ବର୍ଷାର ପ୍ରଭାବରେ ବ୍ରାହ୍ମଣୀଗାଁ ବଜାର ଅବସ୍ଥା ଵେହୋଲ ହୋଇପଡ଼ିଛି I ସୂଚନା ଥାଉ କି ବ୍ରାହ୍ମଣୀଗାଁ ଠାରେ ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି, ଉଭୟ ପାର୍ଶ୍ଵ ଡ୍ରେନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନ ଥିବାରୁ, ପାହାଡ଼ ପର୍ବତ ଓ ଘର ଛାତ ଗୁଡ଼ିକର ବର୍ଷା ଜଳ ସିଧା ସଳଖ ମୂଖ୍ୟ ବଜାର ମଧ୍ୟକୁ ପଶି ଆସୁଥିବାରୁ ବଜାର ଅବସ୍ଥା ଵେହୋଲ ହୋଇ ପଡ଼ିଛି । ପାଣି ମୂଖ୍ୟ ଡ୍ରେନରେ ନ ପଡ଼ି ପୂର୍ତ୍ତ ବିଭାଗ ରାସ୍ତାରେ ଏକ ପ୍ରକାର କୃତ୍ରିମ ନଦୀ ସୃଷ୍ଟି ହୋଇଛି I ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ରାସ୍ତା ଓ କମ୍ବୁ କଲୋନୀ ରାସ୍ତାରେ ପାଣି ମାଡ଼ି ରାସ୍ତା ଧୋଇ ହୋଇ ଯିବା ସହ କାଦୁଅ ପାଣିରେ ପଚ ପଚ ହୋଇ ପଡିଛି ସାହି ରାସ୍ତା ଘାଟ । ଏଭଳି ସ୍ଥିତିରେ ବସ୍ ଓ ଅଟୋ ମାନଙ୍କରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଆଶ୍ରୟ ସ୍ଥଳୀ ଟିଏ ନଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ରାସ୍ତା କାମ ପାଇଁ ବଜାର ଦାଣ୍ଡ ପିଣ୍ଡା ସବୁ ଭଙ୍ଗା ଯାଇ ଥିବାରୁ ଆଶ୍ରୟ ନ ପାଇ ଯାତ୍ରୀ ମାନେ ହନ୍ତସନ୍ତ ହେଉଛନ୍ତି । ଅନ୍ୟ ପକ୍ଷରେ ଵିଲରେ ଧାନ ରୁଆ କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଆଜିର ବର୍ଷାରେ ଚାଷୀମାନେ ଘରୁ ବାହାରି ପାରିନଥିବା ଜଣାପଡିଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ପକ୍ଷରୁ ଗୋଟିଏ ଦିନର ଜରୁରୀ କାଳୀନ ଛୁଟି ଘୋଷଣା କରିବା ପରେ ଆଜି ସ୍କୁଲ ଯାଇଥିବା ସମସ୍ତ ଛାତ୍ରଛାତ୍ରୀ ସ୍କୁଲରୁ ଫେରିଥିଲେ । ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ବ ଡ୍ରେନରେ ଯେପରି ଏହି ବର୍ଷା ଜଳ ନିଷ୍କାସନ ହୋଇ ପାରିବ ସେ ଦିଗରେ ବିଭାଗୀୟ କର୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବାସୀ ଦାବୀ କରିଛନ୍ତି।