ଗୁଣପୁର ଯୁକ୍ତ ଦୁଇ ବିଜ୍ଞାନରେ ସରକାରୀ ମହାବିଦ୍ୟାଳୟର ଫଳ ନୈରାଶ୍ୟ ଜନକ, ବିଦ୍ୟାର୍ଥୀ ଅସନ୍ତୋଷ…

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷା ଫଳ ଶତ ପ୍ରତିଶତ କୃତକାର୍ଯ୍ୟ ହୋଇଥିବା ବେଳେ ସର୍ବ ପୁରାତନ ତଥା ସରକାରୀ ଗୁଣପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଅତି ନୈରାଶ୍ୟ ଜନକ ହୋଇଛି । ଏଠାରେ ମୋଟ ୧୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏଥିରୁ ୯୨ ଜଣ ଫେଲ ହୋଇଛନ୍ତି । ବଳକା ପ୍ରାୟ ତୃତୀୟ ଶ୍ରେଣୀ ବା ଜଷ୍ଟ ପାସ କରିଛନ୍ତି । ଫେଲ ହେବାରେ ରେକର୍ଡ କରିଛି ଗୁଣପୁର ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ଏନେଇ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ପିଲାଏ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଠାରେ ଯଥେଷ୍ଟ ଓ ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ନ ଥିବା, କ୍ଲାସ ଠିକ ଭାବେ ହେଉ ନ ଥିବା, ପାଠ୍ୟକ୍ରମ ଠିକ ସମୟରେ ନ ସରିବା ପ୍ରଭୃତି କାରଣରୁ ଏଭଳି ଫଳାଫଳ ଆସୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଧ୍ୟକ୍ଷ ମୋହନ ରାଓ । ସେ କହିଛନ୍ତି ପାଠ୍ୟକ୍ରମ ଠିକ ସମୟରେ ସରିଛି, କ୍ଲାସ ପରୀକ୍ଷା ବି ହୋଇଛି । ଏଥିରେ କର୍ତ୍ତୃପକ୍ଷଙ୍କ କିଛି ତୃଟି ନାହିଁ ବୋଲି କହିଛନ୍ତି । ତେବେ କିଛି ବର୍ଷ ଧରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷା ଫଳ ଏଭଳି ନିରୁତ୍ସାହ ଜନକ ହେଉଥିବାରୁ ଘରୋଇ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଅଧିକ ସଂଖ୍ୟାରେ ନାମ ଲେଖାଉଛନ୍ତି ଓ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ତେଣୁ ଗଣଶିକ୍ଷା ବିଭାଗ ଏନେଇ ତର୍ଜମା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି।