ଗଞ୍ଜାମ – କନ୍ଧମାଳ ସୀମାନ୍ତ ରେ କାଳ ବୈଶାଖୀ ତାଣ୍ଡବ, ବଜ୍ରାଘାତ ରେ ପ୍ରାଣ ହରାଇଲେ ୧୯ ଗାଈ….

ଅନୁସନ୍ଧାନ ଭାରତ(ବ୍ୟୁର): କାଳ ବୈଶାଖୀ ପ୍ରଭାବରେ ଆଜି ଭଞ୍ଜନଗର ବ୍ଳକର ତଥା ଗଞ୍ଜାମ-କନ୍ଧମାଳ ସୀମାନ୍ତ ଇଲାକା ଗୁଡିକରେ ପ୍ରବଳ ବର୍ଷା ପବନ ସହ କୁଆ ପଥର ମାଡ ହୋଇଛି । ପବନ ଯୋଗୁ ବହୁ ସ୍ଥାନରେ ଛୋଟ ମୋଟ ଗଛ ଡାଳ ଭାଙ୍ଗି ପଡିଥିବା ବେଳେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡି ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଫଳରେ କିଛି ସମୟ ପାଇଁ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଥିଲା । ଏଥି ସହିତ ବଦାଙ୍ଗି ଗ୍ରାମର ଗୁଡ଼ିଆ ଆମ୍ବ ତୋଟା ଠାରେ ବଜ୍ରାଘାତରେ ୧୯ ଗାଈ ପ୍ରାଣ ହରାଇଛନ୍ତି । ଅପରାହ୍ନରେ ବର୍ଷା ପବନ ସହ ବଜ୍ରାଘାତ ଘଟିବାରୁ ତୋଟା ନିକଟରେ ବିଚରଣ କରୁଥିବା ବଦାଙ୍ଗି ଗ୍ରାମର ରଞ୍ଜିତ ଗୌଡ଼, ବାବୁଲି ଗୌଡ଼ଙ୍କ ତିନୋଟି ଲେଖାଏଁ ଏବଂ ମନୋଜ ବେହେରା, ସୁଦର୍ଶନ ମଲିକ, ବଟ ଗୌଡଙ୍କ ସମେତ ଅନ୍ୟାନ୍ୟ ଲୋକଙ୍କ ପ୍ରାୟ ୧୯ ଗାଈ ଏକ ଗଛ ମୂଳେ ଆଶ୍ରୟ ନେଇଥିବା ବେଳେ ହଠାତ ବଜ୍ରାଘାତ ଘଟି ତଳେ ଲୋଟି ପଡ଼ିଥିଲେ । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି । ପ୍ରାଣୀଧନ ବିଭାଗ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।