କେନ୍ଦ୍ରୀୟ ବନାଞ୍ଚଳରୁ ପୁରୀ ଗଲା ରଥ କାଠ…..

ଅନୁସନ୍ଧାନ ଭାରତ(ବ୍ୟୁର) : ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ପୁରୁଣାପାଣିରୁ ଦ୍ୱିତୀୟ ପର୍ଯ୍ୟାୟରେ ବିରାଟ ଶୋଭଯାତ୍ରାରେ ଏକ ଟ୍ରକରେ ଘୋଷଯାତ୍ରା ପାଇଁ ଚିହ୍ନଟ କାଠ ପୁରୀ ଅଭିମୁଖେ ବାହାରିଛି । ପ୍ରଥମ ପର୍ଯ୍ୟାୟରେ ମୁଜାଗଡ ରେଞ୍ଜର ତଡମାରୁ ୨୦ ଟି ଢଉରା କାଠ ଯାଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପୁରୁଣାପାଣିରୁ ପୁରୀ ଅଭିମୁଖେ ଯାଇଛି ରଥକାଠ । ବୁଧବାର ମଧ୍ୟାହ୍ନରେ କେନ୍ଦ୍ରିୟ ବନାଞ୍ଚଳର ପୁରୁଣାପାଣି ଗାଁ ପାଖ ଜଙ୍ଗଲରୁ ପୁର୍ବରୁ କଟାଯାଇଥିବା ତିନୋଟି ଫାସି ଗଛକୁ ୧୦ ଖଣ୍ଡ କରାଯାଇ ବନାଞ୍ଚଳ ଅଧିକାରୀ କୁମର ବେହେରା ଓ ବନପାଳ ଶରତ ମହାନ୍ତିଙ୍କ ଉପସ୍ଥିତିରେ ପୁଜାର୍ଚନା କରାଯାଇଥିଲା । ପରେ ଏକ ଟ୍ରକ ଯୋଗେ ରଥକାଠ ଯିବା ସମୟରେ ରାସ୍ତାର ବିଭିନ୍ନ ସ୍ଥାନରେ ଶହ ଶହ ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଧ୍ବନିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଜୟ ଜଗନ୍ନାଥ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ଅପରାହ୍ନରେ ପୁରୁଣାପାଣିରୁ ବାହରିବା ପରେ ମଳାସପଦର, ଜିଲୁଣ୍ଡି, ବାଉଁଶଲୁଣ୍ଡି ବାଇପାସ ରୋଡ଼ ଦେଇ ଭେଜିପୁଟ ଠାରେ ପହଞ୍ଚିଥିଲା । ସେଠାରୁ ଟ୍ରକଟି ସନ୍ଧ୍ୟା ସମୟରେ ପୁରୀ ଅଭିମୁଖେ ବାହାରିଥିଲା। ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଗିନି, ମୃଦ୍ଦଙ୍ଗ ବଜାଇବା ସହ ଗାଡ଼ି ନିକଟରେ ବନ୍ଦାପନା କରିବା ସହ ନଡିଆ ଧୂପ ଦେଇ ପୂଜାର୍ଚ୍ଚନା କରିଥିଲେ ।