ଅନୁସନ୍ଧାନ ଭାରତ(ବ୍ୟୁର): ଏଚଡିଏଫସି ବ୍ୟାଙ୍କ-ସିଇଇ ପ୍ରକଳ୍ପ “ପ୍ଲାଷ୍ଟିକ ଓ ଶୁଖିଲା ବର୍ଜ୍ୟବସ୍ତୁ ମୁକ୍ତ ଗ୍ରାମୀଣ ଓ ସହରାଞ୍ଚଳ” ସହଯୋଗରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ଧୋବାଡ଼ି ଗ୍ରାମପଞ୍ଚାୟତରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟ କ୍ରମକୁ ଧୋବାଡ଼ି ଗ୍ରାମପଞ୍ଚାୟତର ସରପଞ୍ଚ ରଶ୍ମିତା କୁମାରୀ ରାଉତ ଓ ନାଏବସରପଞ୍ଚ କନୀସ୍କା ବେହେରା ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟ କ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଏବଂ ଚକ୍ଷୁ ଚିକିତ୍ସାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା । ବ୍ରହ୍ମପୁରର ରୁବି ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଏହି ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ଡାକ୍ତର ଏଡ୍ୱିନ୍ ଜେମ୍ସ କେ, ସୁଜିତ କୁମାର ଦାସ, କୁମାର ପ୍ରୀତମ ପୋଲେଇ ଓ ଭୀଷ୍ମ ବେହେରା ଉପସ୍ଥିତ ଥିଲେ । ଶିବିରରେ ଯୋଗ ଦେଇଥିବା ୭୪ ଜଣ ରୋଗୀଙ୍କ ପାଇଁ ଡାକ୍ତରମାନେ ଚେକ୍ ଅପ୍ ଓ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିତେନ୍ଦ୍ରିୟ ପଟ୍ଟନାୟକ, କଳିଙ୍ଗ ସାହୁ, ଦୀପଙ୍କର ପ୍ରଧାନ, ସୁବ୍ରତା ନାୟକ, ପୂଜା ପ୍ରଧାନ ଓ ଶାନ୍ତନୁ କୁମାର ସାହୁ (ପ୍ରକଳ୍ପ ଅଧିକାରୀ, ସିଇଇ)ଙ୍କ ସମେତ ବ୍ଲକ ସମ୍ବଳ ସଂଯୋଜକ ମିଲନ ଉପସ୍ଥିତ ଥିଲେ I ଏଚଡିଏଫସିବ୍ୟାଙ୍କ-ସିଇଇ ସହଯୋଗ ପ୍ରକଳ୍ପର ଲକ୍ଷ୍ୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପ୍ଲାଷ୍ଟିକ ଏବଂ ଶୁଖିଲା ବର୍ଜ୍ୟବସ୍ତୁର ପରିମାଣ ହ୍ରାସ କରି ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା I ଏଭଳି ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରି ଏହି ସବୁ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ଧାରଣମାନରେ ଉନ୍ନତି ଆସିବ ବୋଲି ଏହି ପ୍ରକଳ୍ପ ଆଶା ରଖିଛି । ମୋଟାମୋଟି ଭାବେ ଏହି ଚକ୍ଷୁ ଚିକିତ୍ସା ଶିବିର ସ୍ଥାନୀୟ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଏବଂ ଚକ୍ଷୁ ସେବାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବାରେ ସଫଳ ହୋଇଥିଲା । ଏଚଡିଏଫସି ବ୍ୟାଙ୍କ-ସିଇଇ, କୋର, ରୁବି ଚକ୍ଷୁ ଚିକିତ୍ସାଳୟ ଏବଂ ସ୍ଥାନୀୟ ସରକାରଙ୍କ ପ୍ରତିନିଧିଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଛି।