ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଅଧିନସ୍ଥ ଭଞ୍ଜନଗର ବ୍ଳକ୍ ଶିକ୍ଷା ଅଧିକାରୀଙ୍କ ତରଫରୁ ସ୍ଥାନୀୟ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏଫ୍.ଏଲ୍.ଏନ୍ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ଓ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ସମେତ ବିଚାରକ ରୂପେ ସ୍ଥାନୀୟ ସି.ଟି ଟ୍ରେନିଂ ସ୍କୁଲର ପ୍ରଶିକ୍ଷକ ସୁରେଶ୍ବର ଶାହା, ପ୍ରଶିକ୍ଷିକା ନିବେଦିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l ବ୍ଳକର ଏକ ଶହ ପଚାଶରୁ ଉର୍ଦ୍ଧ୍ବ ବିଦ୍ୟାଳୟରୁ ଭାଷା ଜ୍ଞାନ ତଥା ସଂଖ୍ୟା ଜ୍ଞାନ ଉପରେ ଆଧାରିତ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ନିମିତ୍ତ ଉପଯୋଗୀ ଶିକ୍ଷଣ ସାମଗ୍ରୀମାନ ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା l ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବି.ଇ.ଓ ଏସ୍ ଧନଞ୍ଜୟ ସଭାପତିତ୍ବ କରିଥିବା ବେଳେ ଏ.ବି.ଇ.ଓ ନେତାଜୀ ବିଷୋୟୀ, ସୂର୍ଯ୍ୟ ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପ୍ରଧାନ ପ୍ରମୁଖଙ୍କ ସମେତ ନିମନ୍ତ୍ରିତ ଅତିଥି ଓ ବିଚାରକ ବୃନ୍ଦ ମଞ୍ଚାସୀନ ରହି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉଦବୋଧନ ପ୍ରଦାନ କରିଥିଲେ l ସଂଖ୍ୟାଜ୍ଞାନରେ ବିଲିପଡା ପ୍ରାଥମିକ ବିଦ୍ୟାଳୟ, ଡି.ବି. ସରକାରୀ ବାଳିକା ଉଚବିଦ୍ୟାଳୟ ଓ ଜିଲୁଣ୍ଡି ନୂଆଁବନ୍ଧ ସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ଗୁଡିକ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବିବେଚିତ ହୋଇ ପୁରସ୍କୃତ ହୋଇଥିବା ବେଳେ ଭାଷା ଜ୍ଞାନରେ ଡି.ବି ସରକାରୀ ବାଳିକା ଉଚବିଦ୍ୟାଳୟ, ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଲାଲସିଂ କାହ୍ନୁରାଉତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ଗୁଡିକ ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରି ଜିଲ୍ଲାସ୍ତରକୁ ମନୋନୀତ ହେବା ସହ ପୁରସ୍କୃତ ହୋଇଥିଲା l କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଦୀପ କୁମାର ସାସମଲ ସଂଯୋଜନା କରିଥିବା ବେଳେ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବ୍ଳକର ସମସ୍ତ ସି.ଆର୍.ସି.ସି, ବି.ଆର୍.ଟି, ଆଇ.ଭି ଟିଚର ଓ ବି.ଇ.ଓ ଅଫିସ୍ ଷ୍ଟାଫଙ୍କ ସମେତ ଡି.ବି ସରକାରୀ ବାଳିକା ଉଚବିଦ୍ୟାଳୟ କର୍ମଚାରୀ ସହଯୋଗ କରିଥିଲେ l