ଅନୁସନ୍ଧାନ ଭାରତ(ବ୍ୟୁର): ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କ ଜୟନ୍ତୀ ଉପଲକ୍ଷେ ହିଞ୍ଜିଳିକାଟୁ ଉତ୍ସବ ମୁଖର ହୋଇଉଠିଥିବା ଦେଖିବାକୁ ମିଳିଛି। ଶ୍ରୀରାମ ନବମୀ ଅବସରରେ ସହରର ବିଭିନ୍ନ ରାମ ମନ୍ଦିର ମାନଙ୍କରେ ଭକ୍ତ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ହିଞ୍ଜିଳି ରଘୁନାଥ ମଠରେ ଶ୍ରୀରାମ ନବମୀ ଅବସରରେ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସେହିପରି ବଇଞ୍ଚବଣିଆ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କୁ ରାମ ଏବଂ ବଳଭଦ୍ରଙ୍କୁ ଲକ୍ଷ୍ମଣ ବେଶରେ ସଜ୍ଜିତ କରାଯାଇଥିଲା । ଯାହା ଦେଖିବାକୁ ଅସଂଖ୍ୟ ଭକ୍ତଙ୍କ ସମାଗମ ହୋଇଥିଲା । ହିଞ୍ଜିଳିକାଟୁ ରେଗିଡି ସାହି ଠାରେ ଥିବା ହନୁମାନ ମନ୍ଦିରରେ ମଧ୍ୟ ଭଗବାନ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ହିଞ୍ଜିଳିକାଟୁ ପ୍ରଖଣ୍ଡ ମିଳିତ ସହଯୋଗରେ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ରେଗିଡି ସାହି ହନୁମାନ ମନ୍ଦିର ନିକଟରୁ ଏହି ବିରାଟ ଶୋଭାଯାତ୍ରା ବାହାରି ସହରର ବ୍ଲକ୍ ଛକ, ବିଜୁ ପଟ୍ଟନାୟକ ଛକ, ବଇଞ୍ଚବଣିଆ, ଅଙ୍କୋରଡ଼ା, କେଉଟସାହି, ପରିବା ବାଜର, ରାଧାକୃଷ୍ଣମାର୍ଗ ହୋଇ ପୁଣି ରେଗିଡି ସାହି ହନୁମାନ ମନ୍ଦିର ନିକଟରେ ଶେଷ ହୋଇଥିଲା । ଏଥିରେ ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗ ଦଳର ସହସ୍ରାଧିକ କାର୍ଯ୍ୟକର୍ତ୍ତାଙ୍କ ଭିଡ ଦେଖିବାକୁ ମିଳିଥିଲା।