ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜେଲ ପଡ଼ିଆ ଠାରେ ଉପଖଣ୍ଡ ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳନ କରାଯାଇଛି । ସକାଳ ୫ ଘଣ୍ଟ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ପ୍ରଚାର କରାଯାଇଥିଲା । ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୮.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମସ୍ତେ ଏକାଠି ହୋଇ ସଙ୍ଗଠିତ ଭାବେ କାର୍ଯ୍ୟ କଲେ ଦେଶ ଓ ଜାତିର ଉନ୍ନତି ହୋଇପାରିବ ବୋଲି ଉପଜିଲ୍ଲାପାଳ ଶ୍ରୀ ରାୟ ବକ୍ତବ୍ୟରେ କହିଥିଲେ । ଚଳିତ ବର୍ଷ ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପ୍ୟାରେଡ଼ ଅଂଶ ଗ୍ରହଣ କରିଥିବା ବେଳେ ଉପଜିଲ୍ଲାପାଳ ଶ୍ରୀ ରାୟ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି ଅବସରରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ସହ ପରିବହନ ବିଭାଗ ପକ୍ଷରୁ ପରୋପକାରୀ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ଏସ.ଡ଼ି.ଏମ.ଓ ସିତାଂଶୁ ଶେଖର ଶତପଥି, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଥାନା ଅଧିକାରୀ ଧୀରେଶ କୁମାର ଦାସ, ସାମାଜିକ କର୍ମୀ ଶୂଳପାଣି ଶତପଥୀଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ପରେ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ ସହ ବଡ଼କୋଦଣ୍ଡା ସ୍ଥିତ ଚିଦାନନ୍ଦ କୁଷ୍ଠରୋଗୀ ସେବାଶ୍ରମର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଏହାକୁ ସଂଯୋଜନା କରିଥିଲେ ।