କୋଟିଆରେ ଗୋଷ୍ଠୀଗତ ପଟା ବଣ୍ଟନ ସହ ମେଗା ସ୍ଵାସ୍ଥ୍ୟ ଶିବିରର ଆୟୋଜନ…..

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ସରକାରଙ୍କ ଦ୍ଵାରା କୋଟିଆ ପଞ୍ଚାୟତର କୋଟିଆ ଏବଂ ନେରେଡ଼ିୱାଲାସା ଗ୍ରାମ ଠାରେ ପୃଥକ ପୃଥକ ଭାବେ କୋରାପୁଟ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଧେଶ କ୍ରମେ ପଟ୍ଟାଙ୍ଗି ତହସିଲ ଦ୍ଵାରା ବସ୍ତି ଜଙ୍ଗଲ ଅଧିକାରୀ ସିରୋନାମ ତଥା ଗୋଷ୍ଠୀ ଗତ ଜଙ୍ଗଲ ଜମି ପଟା ସହ ରେଡକ୍ରସ ପାଣ୍ଠିରୁ କମ୍ବଳ ଏବଂ ହାଇଯିନିକ କୀଟ ବଣ୍ଟନ କରାଯିବା ସହ କୋଟିଆ ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଦ୍ଵାରା ମେଗା ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ପଟ୍ଟାଙ୍ଗି ତହସିଲଦାର ବିରେନ୍ଦ୍ର ବାହାଦୁର ସିଂ ଧାରୁଆଙ୍କ ଅଧ୍ୟକ୍ଷତାରେ ପଟ୍ଟାଙ୍ଗି ବିଧାୟକ ପ୍ରିତମ ପାଢି ମୁଖ୍ୟ ଅତିଥିଭାବେ ଯୋଗଦାନ ଦେଇ କୋଟିଆ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ କୋଟିଆ ଓ ଗଞ୍ଜେଇପଦର ଗ୍ରାମ ବାସୀଙ୍କୁ ଏବଂ ନେରେଡ଼ିୱାଲାସା ଗ୍ରାମ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ନେରେଡିୱାଲାସା, ଆର୍ଯୁୱାଲାସା, ତାଡିୱାଲାସା, ପାଲୁକୁୱାଲାସା ଓ ଧୁଳିପଦର ଗ୍ରାମ ବାସୀଙ୍କୁ ବସ୍ତି ଜଙ୍ଗଲ ଅଧିକାରୀ ସିରୋନାମ ତଥା ଗୋଷ୍ଠୀଗତ ଜଙ୍ଗଲ ଜମି ପଟା ଏବଂ ରେଡକ୍ରସ ପାଣ୍ଠିରୁ କୋଟିଆ ବାସୀଙ୍କୁ ଥଣ୍ଡାରୁ ବଞ୍ଚିତ ରଖିବା ନିମନ୍ତେ ୧୨୦ ଗୋଟି କମ୍ବଳ ବଣ୍ଟନ କରିଥିଲେ । କୋଟିଆ ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଅଧିକାରୀ ଡ଼ ରୋସନ୍ ସେନାପତିଙ୍କ ଅଧ୍ୟକ୍ଷତାରେ ଉକ୍ତ ସ୍ଥାନ ଗୁଡିକରେ ଏକ ମେଘା ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରି ୨୦୦ ଜଣଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପାଙ୍ଗି, କୋଟିଆ ସରପଞ୍ଚ ଲିୟୁ ଗେମେଲ, ପଟ୍ଟାଙ୍ଗି ଜୋନ ୧ ଜିଲ୍ଲା ପରିଷଦ ସଦସ୍ୟ ଟିକାଇ ଗେମେଲ, ପଟ୍ଟାଙ୍ଗି ସରପଞ୍ଚ ଆଲମେ ଫୁଲ, ପ୍ରମୁଖ ଯୋଗଦାନ ଦେଇଥିଲେ । ବସ୍ତି ଜଙ୍ଗଲ ଅଧିକାରୀ ସିରୋନାମ ତଥା ଗୋଷ୍ଠୀ ଗତ ଜଙ୍ଗଲ ଜମି ପଟା ବଣ୍ଟନ କାର୍ଯ୍ୟକ୍ରମକୁ କୋଟିଆ ରାଜସ୍ବ ନୀରିକ୍ଷକ ଦୁର୍ଯ୍ୟଧନ ନାୟକ ପରିଚାଳନା କରିଥିଲେ ।